
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୦ କୁ ବୃଦ୍ଧି ପାଇଛି । ୧୦୬୫ ନମୂନା ସଂଗ୍ରହ ପରେ ର୍ୟାପିଡ଼୍ ଆଂଟିଜେନ ଓ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରୁ ୪୩ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ । ନୂଆ ଚିହ୍ନଟ ଏହି ୪୩ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ୨୩ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି । ଆକ୍ରାନ୍ତ ମାନଙ୍କର ବୟସ ୧୫ ବର୍ଷରୁ ୭୬ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୧୬ ଜଣ, ଗୋଷାଣି ବ୍ଲକରୁ ୩ ଜଣ, କାଶୀନଗର ବ୍ଲକରୁ ୫ ଜଣ, ମୋହନା ବ୍ଲକରୁ ୫ ଜଣ, ନୂଆଗଡ଼ ବ୍ଲକରୁ ୬ ଜଣ, ଆର୍. ଉଦୟଗିରି ବ୍ଲକରୁ ଜଣେ, ରାୟଗଡ଼ ବ୍ଲକରୁ ୫ ଜଣ ଆକ୍ରାନ୍ତ ରହିଛନ୍ତି । ଦୁଇ ଜଣ ଆନ୍ଧ୍ରପ୍ରଦେଶ ଚାପରା ଡ଼ାଙ୍ଗୁସିଂ ଅଂଜଳର ବୋଲି ଜଣାପଡିଛି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩ ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଆନ୍ଧ୍ରପ୍ରଦେଶର ଥିବା ଜଣାପଡିଛି ।
ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।