

ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଶୁକ୍ରବାର ଗୋଳନ୍ଥରା ଥାନାକୁ ପରିଭ୍ରମଣକୁ ଯାଇ ଫେରିଥିବା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜଣେ ମହିଳାଙ୍କୁ ଧରି ଯାଉଥିବା ଯୁବକ ଭାରସାମ୍ୟ ହରାଇ ବାଇପାସ୍ରେ ଯାଉଥିବା ଟ୍ରକ୍ ଚକାତଳେ ପଶିଯାଇଥିଲେ । ସ୍ଥାନୀୟ ଲୋକେ ଦେଖୁଥିଲେ ସୁଦ୍ଧା ଭୟରେ କେହି ଉଦ୍ଧାର କରୁନଥିଲେ । ୧୦୮କୁ ଖବର ଦେଇଥିଲେ ମଧ୍ୟ ଆସିବାରେ ବିଳମ୍ବ ହେଉଥିଲା । ଠିକ୍ ଏହି ସମୟରେ ଏସ୍ପି ଶ୍ରୀ ମିଶ୍ର ଉକ୍ତ ରାସ୍ତାଦେଇ ବ୍ରହ୍ମପୁର ଫେରୁଥିବା ବେଳେ ଭିଡ ଦେଖି ଗାଡିରୁ ଓହ୍ଲାଇ ବୁଝିବା ବେଳେ ଟ୍ରକ୍ ଚକାତଳେ ଜଣେ ମହିଳା ଗୁରୁତର ଅବସ୍ଥାରେ ପଡିଥିଲେ । ହଠାତ୍ ତାଙ୍କର ଡ୍ରାଇଭର ଓ ପିଏସ୍ଓଙ୍କ ସହ ଏସ୍ପି ମହିଳାଜଣକୁ ଉଦ୍ଧାରକରି ନିଜ ସରକାରୀ ଗାଡିରେ ତାଙ୍କୁ ଏମ୍କେସିଜିକୁ ନେଇ ଚିକିତ୍ସା କରାଇଥିଲେ । ଏସ୍ପିଙ୍କ ଏଭଳି ମାନବିକତା ଦେଖି ଉପସ୍ଥିତ ଶତାଧିକ ଲୋକେ ପ୍ରଶଂସା କରିଥିଲେ ।