-
ଚିକିତ୍ସା ସେବା ଏକ ଉଚ୍ଚତର ଆଧ୍ୟାତ୍ମିକ ସେବା : ରାଜ୍ୟପାଳ
ଭୁବନେଶ୍ୱର– ମଣିଷର ଶରୀର କୋଟି କୋଟି କୋଷରେ ନିର୍ମିତ ଏକ ସୁସଂହତ ସୃଷ୍ଟି । ଏହାର ଆକଳନ ଓ ଅଧ୍ୟୟନ ସହଜ ବ୍ୟାପାର ନୁହେଁ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା ଅନ୍ନମୟ କୋଷ ପ୍ରାଣମୟ କୋଷ, ଜ୍ଞାନମୟ କୋଷ, ମନମୟ କୋଷ ଓ ଆନନ୍ଦମୟ କୋଷ ଭାବରେ ବିଭକ୍ତ । ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ପୁଣି ଆନନ୍ଦକୁ ଫେରିଯିବ । କିନ୍ତୁ ଏଥିରେ ବିକୃତି ବେଳେବେଳେ ଦେଖାଦିଏ । ତା’ର ଅନ୍ୟାନ୍ୟ କାରଣ ମଧ୍ୟରେ ଖାଦ୍ୟ, ଚିନ୍ତା ଓ ଆବେଗ ପରିଚାଳନାରେ ତ୍ରୁଟି ଉଲ୍ଲେଖନୀୟ । ଦେହରୂପକ ମନ୍ଦିରରେ ପୂଜକ ଭଳି ପ୍ରବେଶ କରିପାରନ୍ତି ଡାକ୍ତରମାନେ ଏବଂ ଚିକିତ୍ସା ସେବା ଏକ ଉଚ୍ଚତର ଅଧ୍ୟାତ୍ମ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ରାଜଭବନରୁ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ୨୫ତମ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ ରୋଗୀ ଓ ଡାକ୍ତରଙ୍କ ମଧ୍ୟ ଏକାତ୍ମ ଭାବ ସୃଷ୍ଟି ନହେଲେ ଚିକିତ୍ସା ସଫଳ ହୁଏ ନାହିଁ । ଡାକ୍ତରମାନେ ରୋଗୀସେବାକୁ ବୃତି ନୁହେଁ: ଏକ ମହାନ ବ୍ରତ ଭାବରେ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।
ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଡଃ. ଆର୍.ଏସ୍. ଏନ୍. ମୂର୍ତି, ସାଇଂଟିଫିକ୍ କମିଟିର ଅଧ୍ୟକ୍ଷ ଡଃ. ପି.କେ. ସାହୁ, ଆୟୋଜନ କମିଟିର ସଂପାଦକ ଡଃ. ଏସ୍.ଏନ୍. ରାଉତରାୟ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡଃ. ଏସ୍.ଏସ୍. ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ଚାପ୍ଟରର ସଂପାଦକ ଡଃ. ବି.ଆର୍. ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଡଃ. ପି.କେ. ମେହେର୍ଦ୍ଦା ଉପସ୍ଥିତ ଥିଲେ ।