
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି । ଆଜି ଉଦ୍ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ ବିହାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନିରବଚ୍ଛିନ୍ନଭାବେ କାର୍ଯ୍ୟକାରୀ ହେଉଛି । ନିକଟ ଅତୀତରେ ବିହାରରେ ଶହ ଶହ କୋଟି ଟଙ୍କାରେ ନିର୍ମିତ ଯେଉଁସବୁ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି ତଦ୍ଦ୍ୱାରା ରାଜ୍ୟର ଚାଷୀ ବିଶେଷ ଉପକୃତ ହେବେ । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।
ଆଜି ଇଂଜିନିୟର ଦିବସ ହୋଇଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିକାଶରେ ଯନ୍ତ୍ରୀମାନଙ୍କର ଭୂମିକାର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଦିବସଟି ପ୍ରସିଦ୍ଧ ଆଧୁନିକ ସିଭିଲ ଇଂଜିନିୟର ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱଶ୍ୱେରାୟାଙ୍କ ସ୍ମୃତିରେ ପାଳନ କରାଯାଉଛି । ଶ୍ରୀ ମୋଦୀ କହିଛନ୍ତି ଯେ, ବିହାର ଲକ୍ଷ ଲକ୍ଷ ଇଂଜିନିୟର ସୃଷ୍ଟିକରି ଦେଶର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ଏକ ଐତିହାସିକ ନଗରୀର ରାଜ୍ୟ । ଏହି ରାଜ୍ୟରେ ହଜାର ହଜାର ବର୍ଷର ଐତିହ୍ୟ ରହିଛି । ସ୍ୱାଧୀନତା ପରେ ଦୂରଦ୍ରଷ୍ଟା ନେତାମାନେ ବିହାରର ନେତୃତ୍ୱ ନେଇଛନ୍ତି । ଦାସତ୍ୱ କାଳରେ ଯେଉଁ ତ୍ରୁଟିମାନ ଘଟିଥିଲା ତାହାକୁ ଦୂର କରିବାରେ ଏହି ନେତାମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାପରେ ଏହି ରାଜ୍ୟରେ ଏକପାକ୍ଷିଆ ବିକାଶ ଘଟି ଅଗ୍ରାଧିକାର କ୍ଷେତ୍ରଗୁଡିକ ଅବହେଳିତ ହୋଇଗଲା । ଫଳରେ ସହରାଞ୍ଚଳ ଭିତ୍ତିଭୂମିର ଅବକ୍ଷୟ ଘଟିବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବ୍ୟବସ୍ଥା ଭୁଶୁଡି ପଡିଲା ।
ଶ୍ରୀ ମୋଦୀ କହିଛନ୍ତି ଯେ ଶାସନରେ ଯେତେବେଳେ ସ୍ୱାର୍ଥପରତା ବଢିଯାଏ ଏବଂ ଭୋଟବ୍ୟାଙ୍କ ରାଜନୀତି ଆରମ୍ଭ ହୁଏ ସେତେବେଳେ ଅବହେଳିତ ଓ ବଞ୍ଚିତ ବର୍ଗର ଲୋକେ ଅଧିକ ପ୍ରଭାବିତ ହୁଅନ୍ତି । ସେ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ବିହାରର ଜନସାଧାରଣ ପାଣି ଓ ସ୍ୱେରେଜ ଭଳି ମୌଳିକ ସମସ୍ୟାର ସମାଧାନ ସୁବିଧା ନ ପାଇ ଯନ୍ତ୍ରଣା ଭୋଗିଛନ୍ତି । ବାଧ୍ୟବାଧକତାରେ ଅପରିସ୍କାର ପାଣି ପିଇ ଲୋକେ ରୋଗରେ ପଡିଥାନ୍ତି ଏବଂ ସେମାନଙ୍କ ରୋଜଗାରର ଏକ ବଡ଼ ଅଂଶ ଚିକିତ୍ସାରେ ଖର୍ଚ୍ଚ ହୁଏ । ଏଭଳି ପରିସ୍ଥିତିରେ ବିହାର ଜନସଂଖ୍ୟାର ଏକ ବଡ଼ ଭାଗ କରଜ, ବ୍ୟାଧି, ଅଶିକ୍ଷା ଓ ଅସହାୟତାକୁ ଆଦରି ପଡିରହିବାକୁ ବାଧ୍ୟ ହୋଇଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ କେତେ ବର୍ଷ ଧରି ବିହାରରେ ଚାଲିଥିବା ଦୁର୍ଦ୍ଦଶାର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମଜର ସୁବଠୁ ପ୍ରଭାବିତ ବର୍ଗର ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯାଇଛି । ଆମର ଝିଅମାନଙ୍କୁ ଶିକ୍ଷିତ କରାଇବା ପାଇଁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତିରାଜଠାରୁ ଆରମ୍ଭ କରି ବିଭିନ୍ନ ସ୍ୱୟଂଶାସନାଧୀନ ସଂସ୍ଥାରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅବହେଳିତ ଲୋକଙ୍କୁ ଅଂଶଗ୍ରହଣ ଓ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଫଳରେ ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । 2014 ପରଠାରୁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାଗୁଡିକରୁ ଭିତ୍ତିଭୂମି ସମ୍ବନ୍ଧୀୟ ଯୋଜନାଗୁଡିକ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରାଯାଇଛି । ଏବେ ଯୋଜନାଠାରୁ ଆରମ୍ଭ କରି ତାହାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଲୋକାଲ ବଡିକୁ ଦାୟିତ୍ୱ ଦିଆଯାଇଛି । ଏହା ଫଳରେ ପାନୀୟ ଜଳଯୋଗାଣ ଏବଂ ସହରରେ ନାଳନର୍ଦ୍ଦମାର ଉନ୍ନତି ଭଳି କାର୍ଯ୍ୟ ତ୍ୱରାନ୍ୱିତଭାବେ କାର୍ଯ୍ୟକାରୀ ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 4-5 ବର୍ଷ ହେଲା ଅମୃତ ଯୋଜନାରେ ବିହାରର ସହରାଞ୍ଚଳରେ ଲକ୍ଷ ଲକ୍ଷ ପରିବାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ବିଭିନ୍ନ ଯୋଜନାର ଅବଦାନ ରହିଛି । ଆଗାମୀ ବର୍ଷଗୁଡିକରେ ବିହାରର ସବୁ ପରିବାରକୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଯୋଗାଇ ଦିଆଯିବ ଏବଂ ଏହି ରାଜ୍ୟ ଏ କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟଗୁଡିକ ସହ ସମକକ୍ଷ ହୋଇପାରିବ । ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ବିହାରର ଜନସାଧାରଣ ନିରନ୍ତରଭାବେ କାମ କରି ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗତ କେଇମାସ ମଧ୍ୟରେ ରାଜ୍ୟରେ 57 ଲକ୍ଷରୁ ଅଧିକ ପରିବାରକୁ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ଏହା ମୁଖ୍ୟତଃ ରାଜ୍ୟର ଗ୍ରାମାଞ୍ଚଳରେ ସମ୍ଭବ ହୋଇଛି । ମହାମାରୀ ଫଳରେ ପ୍ରବାସରୁ ଫେରିଆସି ଗାଁଗହଳିରେ ରହୁଥିବା ଶ୍ରମିକ ଏବଂ ସ୍ଥାନୀୟ ଶ୍ରମଜୀବୀମାନେ ଏହି ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସାମିଲ ହୋଇ ଜଳଯୋଗାଣ ଯୋଜନାକୁ ସଫଳ କରିବାରେ ବଡ଼ ଅବଦାନ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଜଳଜୀବନ ମିଶନ ବିହାରର ଏହି କଠିନ ପରିଶ୍ରମ କରୁଥିବା ସହକର୍ମୀଙ୍କ ପାଇଁ ଉତ୍ସର୍ଗୀକୃତ । ଗତ ଏକ ବର୍ଷ ମଧ୍ୟରେ 2 କୋଟିରୁ ଅଧିକ ଜଳ ସଂଯୋଗ ସୁବିଧା ସମଗ୍ର ଦେଶରେ ଜଳଜୀବନ ମିଶନରେ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଆଜି ମଧ୍ୟ 1 ଲକ୍ଷରୁ ଅଧିକ ପରିବାରକୁ ପାଇପ ଜଳଯୋଗାଣ ନୂଆକରି ଦୈନିକ ଯୋଗାଇ ଦିଆଯାଉଛି । ସ୍ୱଚ୍ଛ ଜଳ କେବଳ ଗରିବଙ୍କ ଜୀବନକୁ ଉନ୍ନତ କରେ ନାହିଁ, ଏହା ମଧ୍ୟ ସେମାନଙ୍କୁ ବିଭିନ୍ନ ଗୁରୁତର ବ୍ୟାଧିରୁ ସୁରକ୍ଷିତ ରଖେ । ସେ କହିଛନ୍ତି ଯେ ବିହାରର ସହରାଞ୍ଚଳରେ ମଧ୍ୟ ଅମୃତ ଯୋଜନାରେ 12 ଲକ୍ଷ ପରିବାରକୁ ଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ସେଥିମଧ୍ୟରୁ 6 ଲକ୍ଷ ପରିବାରଙ୍କୁ ଏହି ସୁବିଧା ମିଳିସାରିଲାଣି ।