ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ନୂତନ କମିଶନର ଭାବେ ଦାୟୀତ୍ୱ ନେଇଥିବା ଆଇଏଏସ୍ ଅଫିସ୍ର ସିଦ୍ଧେଶ୍ୱର ବାଳିରାମ ବନ୍ଦାରୋ ଦାୟୀତ୍ୱ ଗ୍ରହଣପରେ ନିଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ସୋମବାର ସକାଳେ ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ମୁଖ୍ୟ ଓ ଅଧିକାରୀଙ୍କ ସହ ଆଲୋଚନାକରି ଆଗାମୀଦିନ କାର୍ଯ୍ୟର ରୂପରେଖ ପ୍ରସ୍ତୁତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ, ଗାନ୍ଧୀନଗର ଠାରେ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ପାର୍କ, ପ୍ରେମ ନଗର ରାସ୍ତା, ହାଉସିଂବୋର୍ଡରେ ହେଉଥିବା ବିଭିନ୍ନ ପାର୍କ ଓ କାର୍ଯ୍ୟ ବୁଲି ଦେଖିବା ସହ ଠିକାଦାର ଓ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବର୍ଷାଦିନରେ ପାଣି ଜମା ହେଉଥିବା ସ୍ଥାନ ଯଥା ଲୋଚାପଡା, ଜ୍ୟୋତିନଗର, ସିଦ୍ଧାର୍ଥନଗର, ଗୋଷାଣୀନୂଆଗାଁ, ଅନ୍ଧପସରା ରୋଡ୍ ଦେଇ ଯାଇଥିବା ସାପୁଆ ନାଳ ଓ ବାହାନା ନାଳ ଦେଖି ସେଠାର ସ୍ଥିତି ଅନୁଧ୍ୟାନକରି ଡ୍ରେନ୍ ସଫେଇ କରାଯିବ ସେନେଇ ଡେପୁଟି କମିଶନର ରୋମାଞ୍ଚକ ଖମାରୀଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ଡ୍ରେନ୍ ସଫେଇ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସହରବାସୀଙ୍କ କିପରି ମୌଳିକ ସୁବିଧା ଯୋଗାଇ ଦିଆଯାଇପାରିବ ସେ ଉପରେ ସମସ୍ତ ଅଧିକାରୀ ଧ୍ୟାନଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଗମର ୧୪ଟି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ଜଣାପଡିଛି ।
Related Stories
November 23, 2024