
ବ୍ରହ୍ମପୁର: ସୋମବାର ଠାରୁ ଗଞ୍ଜାମ ଜିଲ୍ଲାରେ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି । ଓଡ଼ିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଗଞ୍ଜାମ ଜିଲ୍ଲାରେ ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ୧୪୦୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ମେଟ୍ରିକ୍ ବୋର୍ଡ ପରୀକ୍ଷା ଫଳ ପ୍ରକାଶପରେ ଏକ ବା ଏକାଧିକ ବିଷୟରେ ଫେଲ୍ ହୋଇଥିବା ଗଞ୍ଜାମ ଜିଲ୍ଲାର ୧୪୭୪ଜଣ ବିଦ୍ୟାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ । ସେହିପରି ଦୀର୍ଘଦିନରୁ ପାଠ ଛାଡି ଦେଇଥିବା ତଥା ଦଶମ ଶ୍ରେଶୀରେ କୃତକାର୍ଯ୍ୟ ହୋଇପାରିନଥିବା ଜିଲ୍ଲାର ୬୭୮ବିଦ୍ୟାର୍ଥୀ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ସୋମବାର ପ୍ରଥମ ଦିନରେ ବ୍ରହ୍ମପୁର ସିଟି ହାଇସ୍କୁୂଲ ଓ ଗିରିରୋଡ୍ ସ୍ଥିତ ଭିଭିଗିରି ବାଳିକା ବିଦ୍ୟାଳୟ ଭଳି ଗଞ୍ଜାମ ଜିଲ୍ଲାର ୧୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୧୪୭୪ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ସୋମବାର ପ୍ରଥମ ଦିନରେ ୧୪୦୧ଜଣ ପରୀକ୍ଷା ଦେଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ସିଟି ହାଇସ୍କୁଲ ଭଳି ଗଞ୍ଜାମର ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୬୭୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି ।