
ମାଲକାନଗିରି– ଗାଁ କୁ ଗାଁ ବିଜୁଳି ସଂଯୋଗ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ! ଗାଁ ଗୁଡିକରେ ବିଦ୍ୟୁତ ସେବା ପହଂଚୁଛି ସତ କିନ୍ତୁ ନିମ୍ନମାନର କାମ ହୋଇଥିବା ଯୋଗୁଁ ତାହା ଅଳ୍ପ କେଇଟା ଦିନ ଚାଲିବା ପରେ ଠପ ହୋଇଯାଉଛି। ଟ୍ରାନ୍ସଫର୍ମର ପୋଡି ଆଜିକୁ ୨ ମାସ ବିତିଗଲାଣି କିନ୍ତୁ ଏନେଇ ବିଭାଗୀୟ କର୍ମଚାରୀ ଙ୍କ ନିଦ ଭାଙ୍ଗିନି । ଏଭଳି ଅଭାବନୀୟ ପରିସ୍ଥିତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ର ବନୁର ଗ୍ରାମରେ ଦେଖାଦେଇଛି। ଆଜିକୁ ପ୍ରାୟ ୨ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ସାଉଥକୋ ବିଭାଗ ର କର୍ମଚାରୀ ଙ୍କ ପାଦ ପଡି ନଥିବା କହିଛନ୍ତି ଗ୍ରାମବାସୀ। ବିଦ୍ୟୁତ ସେବା ଠପ ହୋଇଯାଇଥିବା ଯୋଗୁଁ ଗତ ଲଗାଣ ବର୍ଷା ରେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ଗ୍ରାମବାସୀ ବାରମ୍ବାର ସାଉଥକୋ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଚାଷ କାର୍ଯ୍ୟ ରେ ବହୁ ଅସୁବିଧା ହେବା ସହ ପିଲାଙ୍କ ପାଠ ପଢା ରେ ବାଧା ଉପୁଜୁଥିବା କହିଛନ୍ତି ଗ୍ରାମବାସୀ। ବିଦ୍ୟୁତ ନଥିବା ଫଳରେ ବେଳେ ବେଳେ ଜଙ୍ଗଲ ଜୀବଜନ୍ତୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି ଏହି ନିରୀହ ଆଦିବାସୀ। ତେଣୁ ତୁରନ୍ତ ସେମାନଙ୍କ ଗ୍ରାମ କୁ ବିଦ୍ୟୁତ ସେବା ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ !