ଭୁବନେଶ୍ୱର– ଭୁବନେଶ୍ୱରସ୍ଥିତ ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦାବିରେ ଆଜି ଭୁବେନଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସ୍ୱାଗତ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ପୋଲିସ କମିଶନରଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କମିଶନର ଉପସ୍ଥିତ ନଥିବାରୁ ଆଡିସନାଲ କମିଶନର ଶ୍ରୀ ସଂଜୟ ସିଂ ସ୍ମାରକପତ୍ର ଗ୍ରହଣ କରିଥିଲେ ।
ଦୁଷ୍କର୍ମକାରୀମାନେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀ ଓ ପୋଲିସ ହୋଇଥିବାରୁ ସେମାନଙ୍କୁ ଗିରଫ କରିବାକୁ ପ୍ରଶାସନ ପଛଘୁଂଚା ଦେଉଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ନେତୃବର୍ଗ କାହିଁକି ନିରବ ରହିଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି?“ମା’କୁ ସମ୍ମାନ”ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କିପରି ମା’କୁ ସମ୍ମାନିତ କରୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇପଡୁଛି । ଦୁଷ୍କର୍ମ ଘଟଣା ପ୍ରକାଶ କଲେ ପୀଡିତାକୁ ଜୀବନରୁ ମାରିଦେବା ପାଇଁ ଦୁଷ୍କର୍ମକାରୀମାନେ ଧମକ ଦେଇଥିଲେ । ଏଣୁ ପୀଡିତା, ତା’ର ମା’ ଏବଂ ପରିବାରବର୍ଗଙ୍କ ଜୀବନ ବିପଦ ଭିତରେ ରହିଛି । ସରକାର ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରୁଛି । ଅନ୍ୟପକ୍ଷରେ ପୀଡିତା ଜଣେ ଛାତ୍ରୀ ହୋଇଥିବାରୁ ସେ କିପରି ଭବିଷ୍ୟତରେ ତା’ର ପାଠପଢା ଚାଲୁ ରଖିପାରିବ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ତୁରନ୍ତ ଦୋଷୀକୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ଏବଂ ପୀଡିତାକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଯୁବ କଂଗ୍ରେସ ଦାବି କରିଛି । ପୀଡିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଂଗ୍ରାମ ଜାରି ରଖିବ ।
ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ସର୍ବଶ୍ରୀ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ନିହାର ରଂଜନ ବେହେରା, ସଂକୁନା କହଁର, ଆଶୁତୋଷ ଲେଙ୍କା ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ।