-
କର୍ମ ପାଇଁ ସବୁଦିନ ମନ ରହିବେ ଚକ୍ରବର୍ତ୍ତି
-
ସହକର୍ମୀଙ୍କ ସହଯୋଗ କାର୍ଯ୍ୟ କରିବାକୁ ଦେଇଥିଲା ପ୍ରେରଣା
ବ୍ରହ୍ମପୁର: ଖୁବ୍ କମ୍ ଦିନର କାର୍ଯ୍ୟ ଭିତରେ ବ୍ରହ୍ମପୁରବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ଚକ୍ରବର୍ତ୍ତି ସିଂ ରାଥୋଡ । ନିଜର ପ୍ରଶାସନିକ ଦକ୍ଷତା ବଳରେ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅଥବା କୋଭିଡ୍ ପରିଚାଳନା ପ୍ରତିଟି କ୍ଷେତ୍ରରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ । ଲୋକଙ୍କୁ ଉପଯୁକ୍ତ ନ୍ୟାୟ ସହ ହକ୍ ଦେବାରେ ସେ ଥିଲେ ସିଦ୍ଧହସ୍ତ । ସାଧାରଣ ଜନତାଙ୍କ ପାଇଁ ସେ ଜନପ୍ରୀୟ ଅଧିକାରୀଭାବେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ୨ବର୍ଷ ୭ମାସ ୨୪ଦିନ ବିଏମ୍ସିର କାର୍ଯ୍ୟକାଳ ଶ୍ରୀ ଚକ୍ରବର୍ତ୍ତିଙ୍କୁ ସବୁଦିନ ମନେ ରଖିବ । ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତ ଦେବାପରେ ଏଠାରେ ନୂତନ କମିଶନର ଭାବେ ସିଦ୍ଧେଶ୍ୱର ବାଳିରାମ ବନ୍ଦାରୋ ଶୁକ୍ରବାର ଦିନ ଦାୟୀତ୍ୱ ନେଇଥିଲେ । ସେ ଶନିବାର ଦିନ ମଧ୍ୟାହ୍ନରେ ବିଦାୟୀ କମିଶନର ଶ୍ରୀ ରାଥୋଡଙ୍କୁ ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ନିଗମର ଅଧିକାରୀ ଓ କର୍ମକର୍ତ୍ତାମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିବା ବେଳେ ନୂତନ କମିଶନରଙ୍କୁ ସ୍ୱାଗତ କରିଥିଲେ । ବିଦାୟ କମିଶନରଙ୍କୁ ବିଦାୟ ଦେବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ବ୍ରହ୍ମପୁରବାସୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ଆସୁଥିବା ରାଥୋଡ ସାର୍ଙ୍କ କାର୍ଯ୍ୟଶୈଳୀ ଆମ ମାନଙ୍କ ମନବଳକୁ ଦୃଢ଼ କରିବା ସହ ନିଜ ନିଜ କାର୍ଯ୍ୟ କରିବାରେ ସହାୟକ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ହୁଦ୍ହୁଦ୍, ତିତିଲି, ଫାନୀ ବେଳେ ସଫଳ ମୁକାବିଲା ଓ ଅନ୍ୟ ଜିଲ୍ଲାକୁ ସହଯୋଗର ହାତ ବଢ଼ାଇ ଖୁବ୍ ପରିଚିତ ସାଉଣ୍ଟିଥିଲେ ଶ୍ରୀ ରାଥୋଡ । ବର୍ତ୍ତମାନ କୋଭିଡ୍ ପରିଚାଳନାକୁ ବିଏମ୍ସି ଅଞ୍ଚଳରେ ସୁଧାର ଆଣିବା ପାଇଁ ସହରବାସୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇବା ସହ ସହରବାସୀଙ୍କୁ ଏହି ମହାମାରୀ କବଳରୁ କିପରି ରକ୍ଷା କରିବେ ସେନେଇ ବହୁ ପଦକ୍ଷେପ ନେଇଥିଲେ । ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ଓ ପରିମଳମୁକ୍ତକରି ସାରା ଦେଶରେ ବ୍ରହ୍ମପୁର ସହରକୁ ସର୍ବାଗ୍ରେରେ ପହଞ୍ଚାଇବା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀ ରାଥୋଡଙ୍କ ବିଦାୟ ଯେ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୁଃଖ ଦେଇଥିଲା ତାହା ନୁହେଁ ସହରର ବହୁ ଅନୁଷ୍ଠାନ, ଶିକ୍ଷାବିତ୍, ବୃଦ୍ଧିଜୀବୀ, ଗଣମାଧ୍ୟମର ବ୍ୟକ୍ତିବିଶେଷ, ବିଭିନ୍ନ ରାଜନୈତିକ ଦଳ ଭିତରେ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶ୍ରୀ ରାଥୋଡଙ୍କ ନବ ନିଯୁକ୍ତ ଜିଲ୍ଲାପାଳ ପଦବୀକୁ ନେଇ ମଧ୍ୟ ଶୁଭେଚ୍ଛା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ନିଗମର ୨ ଡେପୁଟି କମିଶନରଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ।