ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଜି ଏକ କୋଟି ୭୫ ଲକ୍ଷ ଲୋକ ନିଜର ଗୃହ ପ୍ରବେଶ କରିବେ । ରାଜ୍ୟର ଶ୍ରମିକ ବର୍ଗଙ୍କ ଲାଗି ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମାଲିକମାନଙ୍କୁ ଚାବିକାଠି ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ଜରିଆରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ଚାବିକାଠି ହସ୍ତାନ୍ତର କରିବେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ୨୦୨୨ ପର୍ଯ୍ୟନ୍ତ ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କୁ ଘର ଉପଲବ୍ଧ କରାଇବାକୁ ୨୦୧୬ ନଭେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ଦେଶରେ ୧.୧୪ କୋଟି ଘର ନିର୍ମାଣ ହୋଇସାରିଛି । କେବଳ ମଧ୍ୟପ୍ରଦେଶରେ ୧୭ ଲକ୍ଷ ଗରିବ ପରିବାର ଏହି ଯୋଜନାରୁ ଲାଭାନ୍ୱିତ ହୋଇସାରିଛନ୍ତି । ଏହି ପରିବାର ଲୋକଙ୍କ ପାଖରେ ଘର ନଥିଲା । ଏହି ଯେଜାନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ସରକାର ଦେଇଥାନ୍ତି । ଏଥିରେ ୬୦ ପ୍ରତିଶତ କେନ୍ଦ୍ର ଓ ୪୦ ପ୍ରତିଶତ ରାଜ୍ୟ ସରକାରଙ୍କ ଟଙ୍କା ଥାଏ । ବର୍ଷ ୨୦୨୨ ପର୍ଯ୍ୟନ୍ତ ୨.୯୫ କୋଟି ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ମଧ୍ୟ ପ୍ରଦେଶର ୧.୭୫ କୋଟି ଲୋକଙ୍କ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ରହିବେ ।