ଗଞ୍ଜାମ– ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ଇଞ୍ଜିନିୟରିଂ ସ୍କୁଲ – ଆଙ୍କୁଲି ଶିଳ୍ପାଚଂଳ ଛକରେ ଟ୍ରାଫିକ୍ ସମସ୍ୟା ଦୂର, ରେଳବାଇ କ୍ରସିଂ ପାର୍ ବେଳେ ସମୟ ଅପଚୟକୁ ଏଡାଇବା ତଥା ଯାନବାହନ ଦୁର୍ଘଟଣା ହ୍ରାସ ପାଇଁ ଇଞ୍ଜିନିୟରିଂ ସ୍କୁଲ – ଆଙ୍କୁଲି ଓଭରବ୍ରିଜ୍ ନିର୍ମାଣ କରାଯାଇଛି । ଜୁଲାଇ ୨୦୧୫ ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଓଭର ବ୍ରିଜ୍ କାର୍ଯ୍ୟ ୨୦୧୮ ଜୁଲାଇରେ ସରିବାକୁ ଚୁକ୍ତିନାମା ହୋଇଥିଲା । କିନ୍ତୁ, ଏହି ଓଭର ବ୍ରିଜ୍ କାର୍ଯ୍ୟ ବର୍ତମାନ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଅଭିଯୋଗ କରିଛି ବିଜେପି । କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ସତ୍ୱେ ଏହାର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ଏହାର ବିରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଆଙ୍କୁଲି ଛକ ଠାରୁ ପାଶ୍ୱର୍ ରାସ୍ତା, ଆଙ୍କୁଲି ଏବଂ ଜାତୀୟ ରାଜପଥ ନଂ ୧୬ କୁ ସଂଯୋଗ କରୁଥିବା ପୂର୍ତ ବିଭାଗ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ବିଦ୍ୟୁତ ଖୁଂଟ ଗୁଡିକ ରାସ୍ତା ଉପରୁ ହଟାଯାଇନାହିଁ । ଏପରିକି ଡ଼୍ରେନ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଅଧପନ୍ତରିଆ ରହିଛି । ତରବରିଆ ଭାବେ ଉଦଘାଟନ କରି ଯାନବାହନ ଚଳପ୍ରଚଳ ଆରମ୍ଭ ହେଲେ ଆଗକୁ ହଳଦିଆପଦର ବ୍ରିଜ୍ ପରି ଆଙ୍କୁଲି ଓଭରବ୍ରିଜ୍ ଦୁର୍ଘଟଣା ପ୍ରବଣ ଅଂଚଳ ପାଲଟିବ ବାଲି ବିଜେପି ଯୁକ୍ତି ବାଢିଛି ।
ଏହି ବିକ୍ଷୋଭରେ ବିଜେପି ଶିଳ୍ପାଚଂଳ ମଣ୍ଡଳ ସଭାପତି ଶିବଶଙ୍କର ନାୟକ, ତୁମ୍ବେଶ୍ୱର ନାୟକ, ସୁମିତ ପାତ୍ର, ପ୍ରମୋଦ ମଣ୍ଡଳ, ସୁନିଲ କୁମାର ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ ।