ଭୁବନେଶ୍ୱର– ବାଲେଶ୍ୱର ଜିଲ୍ଲାରେ ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ । ଖୁବ୍ ଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରାଯିବ । ଏଥିରେ ଗୋଟିଏ ଆଇସିୟୁ , କେବଳ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨ ଟି ଅପରେସନ୍ ଥିଏଟର ରହିବ । ଏହାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର,ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ତଥା କୋଭିଡ୍ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢୀ ଓ ଡଏମଇଟି ଡା. ସିବିକେ ମହାନ୍ତି ବାଲେଶ୍ୱର ଜିଲ୍ଲା ଗସ୍ତ କରି କରୋନା ପରିଚାଳନାର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବଲେଶ୍ୱର ଜିଲ୍ଲାରେ କରୋନା ଜନିତ ମୃତ୍ୟୁ କମ୍ ରହିଛି । ରାଜ୍ୟରେ କରୋନା ମୃତ୍ୟୁାର ୦.୫ % ରହିଥିବା ବେଳେ ବାଲେଶ୍ୱରରେ ୦.୩% ରହିଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଡାକ୍ତର ,ସ୍ୱାସ୍ଥ୍ୟ କର୍ମୀ , ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଜିଲ୍ଲାରେ ରାତିରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବୋକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନା ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ରିପୋର୍ଟ ସମ୍ପର୍କରେ ପଜିଟିଭ୍ ବା ନେଗେଟିଭ୍ ଟେଲିଫୋନ୍ ମାଧ୍ୟମରେ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନା ଗାଇଡ୍ ଲାଇନ୍ କୁ କଡାକଡି ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।