-
ଶ୍ରଦ୍ଧାଳୁଙ୍କ ସମାଗମ ମନା , ମଣ୍ଡପରେ ଏକସଙ୍ଗେ ଉପସ୍ଥିତ ରହିପାରିବେ ୭ ଜଣ
-
ଭସାଣୀ ଉତ୍ସବ , ସାଂସ୍କୃତିକ କାର୍ଯ୍ୟକ୍ରମ ନିଷେଧ
ଭୁବନେଶ୍ୱର – ପୂଜା ପାଇଁ ଗାଇଡଲାଇନ ଜାରି କରିଛନ୍ତି ଓଡ଼ିଶା ସରକାର । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡୁଥିବା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ସମେତ ସମସ୍ତ ପୂଜା ପାଳନ ଲାଗି ଏହି କଟକଣା ପାଇଁ ଲାଗୁ ହେବ । ଗୁରୁବାର ଦିନ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି ।
ଏହି ଗାଇଡଲାଇନ ଅନୁସାରେ ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ନେବାକୁ ପଡିବ । କଟକ ଓ ଭୁବନେଶ୍ୱର ସହର ପାଇଁ କମିଶନରେଟ ପୋଲିସ ବା ତାଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ମିଳିପାରିବ । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ । ମୂର୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବ ନାହିଁ । ପୂଜା ଗୁଡିକରେ ସାଧାରଣ ଲୋକ ଭାଗନେଇ ପାରିବେନି କିମ୍ବା ଗହଳି ହୋଇପାରିବନି ।ମଣ୍ଡପରେ ଏକସମୟରେ କର୍ତା ଓ ପୂଜାରୀଙ୍କୁ ନେଇ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ଯେଉଁମାନେ ମଣ୍ଡପରେ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ୱ ପାଳନ କରିବେ । ପୂଜା ମଣ୍ଡପକୁ ତିନିପଟୁ ବନ୍ଦ କରାଯିବ । ସାଧାରଣ ଲୋକଙ୍କୁ ଭିତରକୁ ଛଡାଯିବ ନାହିଁ ।
ଏହା ବ୍ୟତୀତ ପୂଜା କମିଟିର କର୍ମକର୍ତାମାନେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ନିୟମକୁ ପାଳନ କରିବେ । କୌଣସି ଭସାଣି ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ, କେବଳ ପ୍ରଶାସନ ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ଭସାଣି କରିହେବ । ପୂଜା ସମୟରେ କୌଣସି ପ୍ରକାରର ମନୋରଂଜନ, ସଂଗୀତ ଆଦି କାର୍ଯକ୍ରମ ହୋଇପାରିବ ନାହିଁ ବୋଲି ଉକ୍ତ ଗାଇଡ୍ ଲାଇନ୍ ରେ ଉଲ୍ଲେଖ କରାଯାଇଛି । ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।