ଭୁବନେଶ୍ୱର – ଏଆଇସିସି ପକ୍ଷରୁ ଗଠିତ ବନ୍ୟା ଅନୁସନ୍ଧାନକାରୀ କମିଟିର ଅନ୍ୟତମ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ କମିଟି ପୁରୀ ଜିଲ୍ଲାର ନିମାପଡା, ଅସ୍ତରଙ୍ଗ, କାକଟପୁର, ଗୋପ, ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଳକର ବିଭିନ୍ନ ବନ୍ୟାଚଂଳର ପଂଚାୟତଗୁଡ଼ିକୁ ଗସ୍ତକରିବା ସହ ପାଣି ଘେରରେ ଥିବା ବିପନ୍ନ ଲୋକମାନଙ୍କ ସହିତ ଆଲୋଚନାକରି ଫେରିବାପରେ ପ୍ରଶାସନ ତରଫରୁ ଆବଶ୍ୟକ ପରିମାଣର ରିଲିଫ୍ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇ ନ ଥିବା ହେତୁ କ୍ଷୋଭ ପ୍ରକାଶ କରିଥିଲେ ।
ବିଭିନ୍ନ ସ୍ଥାନରେ ନଦୀବନ୍ଧ ସୁଦୃଢ଼ୀକରଣ କରା ନଯିବା, ବନ୍ୟା ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରାଯାଉ ନ ଥିବା ଯୋଗୁଁ ଅନେକ ସ୍ଥାନରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି । ଅସ୍ତରଙ୍ଗ ବ୍ଳକର ଦ୍ୱୀପାଂଚଳ ତାଳଦା ପଂଚାୟତକୁ ଗମନାଗମନ ପାଇଁ ବିଜୁ ସେତୁ ବ୍ରିଜ୍ ଦୀର୍ଘ ୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇ ଅଧାହୋଇ ପଡ଼ିଥିବାରୁ ଉକ୍ତ ବ୍ଳକଠାରୁ ତାଳଦା ପଂଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି । ବହୁ ଗାଁରେ ପାଣି ପଶି ମାଟିକାନ୍ଥଗୁଡ଼ିକ ଭାଙ୍ଗି ପଡ଼ିଛି । ବହୁ ସ୍ଥାନରେ ପିଇବା ପାଣିଠାରୁ ଆରମ୍ଭକରି ରିଲିଫ୍ ସହାୟତା ଯୋଗାଇ ଦିଆଯାଇ ନାହିଁ । ଏହି ସବୁ ସମସ୍ୟାକୁ ବନ୍ୟା ପରିଭ୍ରମଣ ସମୟରେ ଅନୁଧ୍ୟାନ କରିବାପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ତୁରନ୍ତ ବିପନ୍ନଙ୍କୁ ସହାୟତା, ବାସ୍ତବ କ୍ଷୟକ୍ଷତିର ସଠିକ୍ ଆକଳନ, ଘରଭଙ୍ଗା ସହାୟତା, ଖରିଫ୍ ଫସଲ କ୍ଷତି ଭରଣା ପାଇଁ ଗତ ଖରିଫ୍ ଚାଷର କୃଷିଋଣ ଛାଡ଼, ପ୍ରତି ଏକର ପିଚ୍ଛା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ବିନା ସୁଧରେ ରବି ଚାଷ ପାଇଁ ଋଣ ଯୋଗାଣ, ମାଗଣା ବିହନ ଓ ପନିପରିବା ମିନିକିଟ୍ସ ଯୋଗାଣ, କ୍ଷୟକ୍ଷତିର ବୀମା ସହାୟତା, ଗୋଖାଦ୍ୟ ଯୋଗାଣ, ସଂକ୍ରମଣ ରୋଗର ପ୍ରତିକାର ପାଇଁ ବ୍ୟବସ୍ଥା, ତାଳଦା ବ୍ରିଜ୍ର କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ୫୦ କେଜି ଚାଉଳ ଓ ୫୦୦ଟଙ୍କା ବାଛ ବିଚାର ନ କରି ବନ୍ୟାଘେରରେ ଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଯୋଗାଇ ଦେବାକୁ ପ୍ରତିନିଧି ମଣ୍ଡଳୀ ଦୃଢ଼ଦାବୀ କରିଛନ୍ତି ।
ଏହି ଟିମ୍ ରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମିୟ କୁମାର ପଟ୍ଟନାୟକ, କାକଟପୁରର କଂଗ୍ରେସ ନେତା ବିଶ୍ୱ ଭୂଷଣ ଦାସ, ନିମାପଡାର ଦିଲ୍ଲୀପ କୁମାର ନାୟକ, ପିପିଲି ଅଜିତ୍ କୁମାର ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ ।