ଜୟପୁର – ଶେଷ ବର୍ଷ ପରୀକ୍ଷା ଅନ୍ ଲାଇନରେ କରିବାକୁ ଦାବୀ କରି ବିକ୍ରମଦେବ କଲେଜରେ ଛାତ୍ର ଅଶାନ୍ତି ଦେଖାଯାଇଛି । ସାରା ରାଜ୍ୟରେ ବହୁ ମହାବିଦ୍ୟାଳୟରେ ଅନଲାଇନରେ ପରୀକ୍ଷା କରୁଥିବା ବେଳେ ଏଠାରେ ଅଫ୍ ଲାଇନରେ କରାଯାଉଛି । କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ସରକାର ଶେଷ ବର୍ଷ ପରୀକ୍ଷା କରିବା ପାଇଁ ନିଷ୍ପତି ନେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଜୟପୁର ବିକ୍ରମ ଦେବ ସ୍ୱଂୟଶାସିତ ମହାବିଦ୍ୟାଳୟରେ ମଧ୍ୟ ଶେଷ ବର୍ଷ ପରୀକ୍ଷା ଅଫ୍ ଲାଇନରେ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି । ଟାଇମ ଟେବୁଲ ମଧ୍ୟ ବାହାରିଛି । ଏହାକୁ ନେଇ ଛାତ୍ର ଅଶାନ୍ତି ଦେଖାଯାଇଛି । ଆଜି କଲେଜର ଶେଷ ବର୍ଷର ଛାତ୍ର ଛାତ୍ରୀ ମାନେ କଲେଜ ଅଧ୍ୟକ୍ଷ ଗୋପାଳ ହାଲଦାରଙ୍କ ସହ ସାକ୍ଷାତ କରିଛନ୍ତି । ଛାତ୍ର ଛାତ୍ରୀ ମାନେ ଯୁକ୍ତି ଦର୍ଶାଇଛନ୍ତି ଯେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଫ୍ ଲାଇନ ଓ ଅନ ଲାଇନରେ ପରୀକ୍ଷା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ରାଜ୍ୟର ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଅନ ଲାଇନରେ ପରୀକ୍ଷା କରିବାକୁ ସ୍ଥିର କରିଛନ୍ତି । ବର୍ତମାନ ମହାମାରୀ କରୋନାରେ ସାରା ବିଶ୍ୱ ଘାଂଟି ହୋଉଥିବା ବେଳେ କୋରାପୁଟ ଜିଲାରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଛାତ୍ରଛାତ୍ରୀ ମାନେ ବସରେ ପେଲା ଠେଲା ହୋଇ ଆସିବେ, ବାହାର ଜିଲାରୁ ମଧ୍ୟ ଛାତ୍ର ଛାତ୍ରୀ ଆସିବେ ପରୀକ୍ଷା ଦେବେ । ଯଦି କୌଣସି ପରୀକ୍ଷାର୍ଥି କରୋନାରେ ଆକ୍ରାନ୍ତ ହେଲେ କିଏ ଦାୟୀ ରହିବେ । ପରୀକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ଜୀବନ ମଧ୍ୟ ସେଥିକି ଗୁରୁତ୍ୱପୂର୍ଣ୍ଣ ଅଟେ । କୋରାପୁଟ ଜିଲା କରୋନାର ହଟସ୍ପଟ ହୋଇଛି । ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ ଲାଇନରେ ପରୀକ୍ଷା କରାଯାଉ ।
ଅନ୍ୟପକ୍ଷରେ ଛାତ୍ର ଛାତ୍ରୀଙ୍କ ଯୁକ୍ତିକୁ ଶୁଣି କଲେଜ ଅଧ୍ୟକ୍ଷ କହିଛନ୍ତି ଯେ, ଉକ୍ତ କଲେଜରେ ଅବିଭକ୍ତ ଜିଲାର କୋଣ ଅନୁକୋଣର ଛାତ୍ର ଛାତ୍ରୀ ମାନେ ପଢନ୍ତି । ଏଠାରେ ଇଂଟରନେଟର ସସମ୍ୟା ରହିଛି । ସମସ୍ତଙ୍କ ନିକଟରେ ମୋବାଇଲ ମଧ୍ୟ ନାହିଁ । ଅନ ଲାଇନ କ୍ଲାସ୍ ଚାଲୁଥିବା ବେଳେ ମାତ୍ର ୩୦ ପ୍ରତିଶତ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ପାରୁଛନ୍ତି । ଅନ ଲାଇନରେ ପରୀକ୍ଷା କଲେ ବହୁ ଛାତ୍ର ଛାତ୍ରୀ ପରୀକ୍ଷାରୁ ବଂଚିତ ହେବେ । ତେଣୁ କୋଭିଡ ନିୟମ ଅନୁଯାଇ ଗୋଟିଏ ପରୀକ୍ଷା ହଲରେ ଯେତେ ପରୀକ୍ଷାର୍ଥି ବସିବାର ନିୟମ ରହିଛି ତାର ୫୦ ପ୍ରତିଶତ ଛାତ୍ର ଛାତ୍ରୀ ପରୀକ୍ଷା ହଲରେ ବସି ପରୀକ୍ଷା ଦେବେ । ଆସନ୍ତା ସେପ୍ଟେମ୍ବର ଠାରୁ ୭ରୁ ଅକ୍ଟୋବର ମଧ୍ୟରେ ଯୁକ୍ତ ୩, ପିଜି, ବି.ଇଡି, ବିବିଏ, ବିସିଏର ଛାତ୍ର ଛାତ୍ରୀ ଙ୍କ ଶେଷ ବର୍ଷ ପରୀକ୍ଷା ହେବା ନେଇ ନିଷ୍ପତି ହୋଇଛି । ଚଳିତ ଶେଷ ବର୍ଷ ପରୀକ୍ଷାରେ ବିଜ୍ଞାନରେ ୨୧୭, କଳାରେ ୨୭୨, ବାଣିଜ୍ୟରେ ୨୯୪, ପିଜିରେ ୩୨୪, ବି.ଇଡିରେ ୫୦, ବିବିଏ ଓ ବିସିଏରେ ୭୧ ଜଣ ପରୀକ୍ଷା ଦେବା ପାଇଁ କଲେଜ କର୍ତୃପକ୍ଷ ବ୍ୟବସ୍ଥା କରିଥିବା ବେଳେ ଛାତ୍ର ଛାତ୍ର ମାନେ ଲିଖିତ ଭାବେ ଦେବା ପରେ ଉଚ୍ଚ କର୍ତୃପକ୍ଷଙ୍କୁ ଉକ୍ତ ପତ୍ର ପଠାଇବୁ ସରକାର ଯାହା ନିଷ୍ପତି ନେବେ ବୋଲି ଅଧ୍ୟକ୍ଷ କହିଛନ୍ତି । କଲେଜରେ କଟକ ଭଳି ଦୂରୁ ଦୂରାନ୍ତରେ ଛାତ୍ର ଛାତ୍ରୀ ମାନେ ପଢୁୁଥିବା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଅବିଭାବକ ମାନେ ମଧ୍ୟ ଅଫ୍ ଲାଇନ ପରୀକ୍ଷାକୁ ବିରୋଧ କରି ଅନ ଲାଇନ କରିବାକୁ ଦାବୀ କରିଛନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଅବିଭାବକ ମାନେ ଦାବୀ କରିଛନ୍ତି ।