ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ିବାକୁ ବସିଛି । ଶିକ୍ଷା ବିଭାଗର ନୀତି ନିୟମ ବନ୍ଧାପଡ଼ିଛି । ଧର୍ମକୁ ଆଖିଠାର ମାରି ଚାଲିଛି ସବୁ କିଛି । ଏହାର ନଗ୍ନ ଉଦାହରଣ ପାଲଟିଛି ଜିଲ୍ଲାର ସଦର ମହକୁମା ବାରିପଦା ସହରର କେସି ସାର୍କଲ ଛକ ନିକଟ କେସି ସାର୍କଲ- ପାଲବଣି ମୁଖ୍ୟ ରାସ୍ତା ପାଶ୍ୱର୍ରେ ୧୯୮୧ରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷା ବିଦ୍ୟାଳୟ । ଅର୍ଦ୍ଧ କିଲୋମିଟର ପରିସୀମା ମଧ୍ୟରେ କୌଣସି ବିଦ୍ୟାଳୟ ନ ଥିଲେ ନୂତନ ଭାବେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆ ନ ଯିବାର ସରକାରୀ ନିୟମ ରହିଥିବା ବେଳେ ପ୍ରାୟ ୩ ଶହ ଫୁଟ ଦୂରରେ ଶ୍ରୀରାମଚନ୍ଦ୍ର ପ୍ରାଥମିକ ଓ ଶରତଚନ୍ଦ୍ର ବିଦ୍ୟାପୀଠ ରହିଥିବା ସମୟରେ ଉକ୍ତ ବିଦ୍ୟାଳୟର ନିଜସ୍ୱ ଗୃହ ବା ଜମି ନ ଥିବା ବେଳେ ଏକ ଅସ୍ୱାସ୍ଥକର ପରିବେଶ ମଧ୍ୟରେ ଦୁର୍ଗାବତୀ ନାମକ ବ୍ୟକ୍ତିଗତ ଧର୍ମଶାଳା ଭିତରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍ୱିକୃତି ପ୍ରାପ୍ତ ବିଦ୍ୟାଳୟ ଚାଲିଆସୁଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ତେବେ ଗଣଶିକ୍ଷା ବିଭାଗର ନିୟମ ଅନୁସାରେ ଗୋଟାଏ ଏଡେଡ଼ ବିଦ୍ୟାଳୟରେ ଆପ୍ରୋଭାଲ ହୋଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ଶେଷ ଶିକ୍ଷକ ଅବସର ଗ୍ରହଣ କରିବା ପରେ ନୂଆ ଶିକ୍ଷକ ନିଯୁକ୍ତି ଦିଆ ନ ଯାଇ ଉକ୍ତ ବିଦ୍ୟାଳୟ ବନ୍ଦ ହୋଇଯିବ । ବାରିପଦା ପୌରପରିଷଦସ୍ଥିତ ଭୁଗୁଡ଼ାକଟା ପୁରସ୍ତମ ବିଦ୍ୟାଳୟ ଏହାର ଏକ ଉଦାହରଣ । ଏହି ସମୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱକୃତି ପ୍ରାପ୍ତ ଦୁର୍ଗାବତୀ ଆଦର୍ଶ ରାଷ୍ଟ୍ରଭାଷା ବିଦ୍ୟାଳୟରେ ଆପ୍ରୋଭାଲ ହୋଇଥିବା ଶିକ୍ଷକମାନଙ୍କ ଭିତରୁ ପୂର୍ବରୁ ୨ ଜଣ ଶିକ୍ଷକ ଅବସର ଗ୍ରହଣ କରିସାରିଥିବା ବେଳେ ଗତ ଅଗଷ୍ଟରେ ବିଦ୍ୟାଳୟର ଶେଷ ଶିକ୍ଷକ ଅସୀମ ଚକ୍ରବର୍ତୀ ଅବସର ଗ୍ରହଣ କରିସାରିଛନ୍ତି । ଯିଏକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ମଧ୍ୟାହ୍ନ ଭୋଜନ ହେରାଫେରି ଆଦି ବିଭିନ୍ନ ଅଭିଯୋଗ ରହିଥିଲା । ଶିକ୍ଷା ବିଭାଗର ନିୟମ ଅନୁସାରେ ଅବସର ଗ୍ରହଣ କରିବାର ୮୯ ଦିନ ପୂର୍ବରୁ ତାଙ୍କ ନିକଟରୁ ଫାଇନାନ୍ସ ପାୱାର ପ୍ରତ୍ୟାହାର କରାଇ ଅନ୍ୟ କୌଣସି ଶିକ୍ଷକଙ୍କୁ ସେହି ଦାୟିତ୍ୱ ଦିଆଯାଇଥାଏ । ଅଥବା ସିଆରସିସି ବା ବିଇଓ ଏହି ଦାୟିତ୍ୱ ନିଜ ହାତରେ ରଖିଥାନ୍ତି । ଏଥି ସହିତ ଅବସର ଗ୍ରହଣ କରିବା ଦିନ ଅଥବା ତା ପୂର୍ବରୁ ବିଦ୍ୟାଳୟର ସମସ୍ତ ଚାର୍ଯ୍ୟ ବିଭାଗୀୟ ଅଧିକାରୀ ଅଥବା ଦାୟିତ୍ୱରେ ରହିଥିବା ଅନ୍ୟ କୌଣସି ଶିକ୍ଷକଙ୍କୁ ହସ୍ତାନ୍ତର କରାଯିବାର ନିୟମ ରହିଥିଲେ ମଧ୍ୟ ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷା ବିଦ୍ୟାଳୟରେ ଏହାର ବ୍ୟତୀକ୍ରମ ପରିଲକ୍ଷିତ ହୋଇଛି । ବିଦ୍ୟାଳୟରେ ଶିକ୍ଷକ ଅବସର ଗ୍ରହଣ କରି ସାରିଥିଲେ ମଧ୍ୟ ଏ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କିଛି ନ ଜାଣିବା ଭଳି ଉତର ଦେଉଛନ୍ତି । କରୋନା କଟକଣା ନିମନ୍ତେ ବର୍ତମାନ ବିଦ୍ୟାଳୟ ବନ୍ଦ ରହିଛି ଏବଂ ଦୁର୍ଗାପୂଜା ଛୁଟି ପରେ ବିଦ୍ୟାଳୟ ସ୍ୱଭାବିକ ଭାବେ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସମୟରେ ବିଦ୍ୟାଳୟରେ ଅଧ୍ୟନରତ ଛାତ୍ରଛାତ୍ରୀମାନଙ୍କୁ କେଉଁ ବିଦ୍ୟାଳୟରେ ଭର୍ତି କରାଯିବ ସେ ବିଷୟରେ ସିଇଓ ଅଥବା ବିଇଓ ଅଦ୍ୟାବଧି କୌଣସି ନିଷ୍ପତିରେ ପହଁଚିପାରି ନଥିବା ସମୟରେ ସରକାରଙ୍କୁ ମାସେ ଦେଢ଼ ମାସ ହେବ ଜଣାଇଛୁ । ସରକାରଙ୍କ ନିକଟରୁ କୌଣସି ଉତର ମିଳିପାରି ନାହିଁ । ଉତର ଆସିବା ପରେ ଯାହା ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଛନ୍ତି ବିଇଓ ପ୍ରଶାନ୍ତ ମହାନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଏବଂ ବିଡ଼ମ୍ବନାର ବିଷୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସୀମ ଚକ୍ରବର୍ତୀ ଗତ ଅଗଷ୍ଟ ୩୧ରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଅଦ୍ୟାବଧି ଦାୟିତ୍ୱ ହସ୍ତାନ୍ତର କରାଇ ନାହାନ୍ତି । ଗଣମାଧ୍ୟମର ଖୋଳତାଡ଼ ଆରମ୍ଭ ହେବା ପରେ ଗତ ସେପ୍ଟେମ୍ବର ୯ରେ ସିଆରସିସି ବବିତା ଶାହାଙ୍କୁ ଦାୟିତ୍ୱ ନେବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହା ଯାଇଥିଲେ ମଧ୍ୟ ସିଆରସିସି ଶ୍ରୀମତୀ ଶାହା ଦାୟିତ୍ୱ ଗ୍ରହଣ କରିବାକୁ ନିଜର ଅନିଚ୍ଛା ପ୍ରକାଶ କରିଥିବାର ଜଣାପଡ଼ିଛି । ଏହି ସମୟରେ କୌଣସି କାରଣରୁ ଶିକ୍ଷା ବିଭାଗର ସମସ୍ତ ନୀତି ନିୟମକୁ ଆଖିଠାର ମାରି ଜିଲ୍ଲା ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି।
Submitted By: Edited By: Bhanucharan Sahoo Published By: Samanwaya Nanda at Sep 10 2020 7:10PM