-
ଗ୍ରାମବାସୀଙ୍କ ଆହୁତ ଧାରଣା ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଗ୍ରାମବାସୀ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ମହାପ୍ରଭୁ ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ସ୍ଥାନୀୟ କିଛି ଅସାଧୁ ବ୍ୟକ୍ତିଙ୍କୁ ହାତରେ କରି କମ୍ ମୂଲ୍ୟରେ ମହାପ୍ରଭୁଙ୍କ ଜମି ହାତେଇବା ପାଇଁ କିଛି ଜମି ମାଫିଆଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବିଶେଷକରି ହିଞ୍ଜିଳି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ରାଧାକୃଷ୍ଣ ଲଳିତା ମହାପ୍ରଭୁଙ୍କ ଜମି ହାତେଇବା ପାଇଁ ଜମି ମାଫିଆମାନେ କଳ ବଳ କୈଶଳ ଲଗାଇଛନ୍ତି । ଏହି ଜମି ହାତେଇ ରେଜିଷ୍ଟ୍ରି କରିବା ସମୟରେ ଗ୍ରାମବାସୀମାନେ ଜାଣିବାକୁ ପାଇ ଏହାକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡିବାପରେ ରେଜିଷ୍ଟ୍ରେଶନ୍ ବନ୍ଦ ହୋଇଥିବା ଜଣାପଡିଛି । ଜମି ବିକ୍ରି ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ସ୍ଥାନୀୟ ସବ୍ରେଜିଷ୍ଟ୍ରେରଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଟ୍ରଷ୍ଟି ଦ୍ୱାରା ରେଜିଷ୍ଟ୍ରେଶନ ଦଲିଲ ସମ୍ପାଦନକୁ ସ୍ଥଗିତ ରଖି ନିଲାମ ପ୍ରକ୍ରିୟାକୁ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ ସ୍ଥାନୀୟ ଦଲିଲ ପଞ୍ଜିକରଣ ହୋଇନଥିବା ବିଷୟ ସବ୍ରେଜିଷ୍ଟ୍ରରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଗତ ୮ତାରିଖ ଦିନ ମିଳିବାପରେ ଗ୍ରାମବାସୀଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଆମରଣ ଅନଶନକୁ ସ୍ଥଗିତ ରଖାଯାଇଥିବା ନେଇ ଗ୍ରାମବାସୀମାନେ ଲିଖିତ ଆକାରରେ ଜଣାଇଛନ୍ତି । ଅନୈତିକ ଉପାୟରେ କରାଯାଇଥିବା ନିଲାମକୁ ରବ୍ଦ କରିବା, ତ୍ରୁଟିପୂର୍ଣ୍ଣ ଜମି ବିକ୍ରି ଅନୁମତିର ପୁନଃ ବିଚାର ଓ ଟ୍ରଷ୍ଟି ପରିବର୍ତ୍ତନ କରାଯାଇ ନୂତନ ଟ୍ରଷ୍ଟି ଗଠନ କିମ୍ବା ସରକାରୀ ଅଧିକାରୀ ଟ୍ରଷ୍ଟି ନିଯୁକ୍ତି ସମ୍ପର୍କରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ବିଶେଷସୂତ୍ରରୁ ଜଣାପଡିଛି । ମନ୍ଦିର ଜମି ଜାଲିଆତିରେ ନିଲାମକୁ ଲୁକ୍କାୟିତ ଭାବେ ହୋଇଥିବା ଏକ ସୂଚନା ଅଧିକାର ଆବେଦନରୁ ସୂଚନା ମିଳିଛି । ନିଲାମ ପ୍ରକ୍ରିୟାକୁ ଲୁକ୍କାୟିତ କରିବା ନିମନ୍ତେ ପୌର ପରିଷଦ ଅନ୍ତର୍ଗତ ୧୯ନମ୍ବର ୱାର୍ଡର ଏକ ୧୭ବର୍ଷୀୟ ନାବାଳକ ଢ଼େଣ୍ଡୁରା ଦେଇଥିବା ଭଳି ତଥା ଏହି ପିଲାର ପ୍ରାପ୍ତି ରସିଦ ପ୍ରସ୍ତୁତକରି ନିଲାମ କାଗଜ ଦାଖଲ କରିଥିଲେ । ଜଣେ ନାବାଳକ ଆଇନ୍ତଃ ଏହି କାର୍ଯ୍ୟରେ ନିୟୋଜିତ ହେବା ଉଚିତ ନୁହେଁ । କିନ୍ତୁ ଏପରି ବିଷୟ ସୁଣି ଉକ୍ତ ନାବାଳକ ଓ ତାଙ୍କ ପରିବାର ତରଫରୁ ସ୍ଥାନୀୟ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ନିକଟରେ ଏକ ସତ୍ୟପାଠ ଦାଖଲକରି କହିଛନ୍ତି ଯେ, କେହିଜଣେ ବାଜା ଧରି ଛିଡା ହେବା ଢ଼ଙ୍ଗରେ ଫଟୋ ଓ ଆଧାର କାର୍ଡ ନେଇ ୨୦୦ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଢ଼େଣ୍ଡୁରା କରାଯାଇନାହିଁ । ନିଲାମର ପ୍ରଥମ ପ୍ରକ୍ରିୟା ମିଥ୍ୟା ପ୍ରମାଣିତ ହୋଇଥିବାରୁ ନିଲାମ ପ୍ରକ୍ରିୟା ରବ୍ଦ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଗ୍ରାମବାସୀମାନେ ଅନୁମାନକରି ଆଶ୍ୱସ୍ତବୋଧ କରୁଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଜମି ମାଫିଆଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।