-
ସମୟସୀମା ଭିତରେ ସାରିବା ପାଇଁ ଦେଲେ ନିର୍ଦ୍ଦେଶ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଅଧିନରେ ହେଉଥିବା ୪ଟି ବୃହତ୍ତ ପ୍ରକଳ୍ପକୁ ବୁଲି ଦେଖି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବିଏମ୍ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତି ସିଂ ରାଥୋଡ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ପ୍ରକଳ୍ପ ବୁଲି ଦେଖିବା ସହ ସମୟସୀମା ଭିତରେ ସାରିବା ପାଇଁ ଠିକା ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଏମ୍ସି ଅଧିନରେ ଥିବା ବହୁ ପ୍ରତୀକ୍ଷିତ ମହୁଡା ଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ବୁଲି ଦେଖିଥିଲେ । ମହୁଡା ଠାରେ ୩୨.୫ ଏକରରେ ୪୧କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ସମୟସୀମା ଭିତରେ ସାରିବା ସହ କାର୍ଯ୍ୟର ତଦାରଖ ପାଇଁ ବିଏମ୍ସି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାମଲିଙ୍ଗମ ରୋଡ୍ରେ ହେଉଥିବା ୮ଏକର ଜାଗାରେ ୧୨କୋଟି ଟଙ୍କା ବିନିମୟରେ ରାମଲିଙ୍ଗମ ବନ୍ଧର ପୁର୍ନଉଦ୍ଧାର ଓ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦେବାସହ ଠିକା ନେଇଥିବା ସଂସ୍ଥାକୁ ଏଥିପ୍ରତି ଧ୍ୟାନ ଦେବାକୁ କହିଥିଲେ । ଏହାପରେ ବୈକୁଣ୍ଠନଗରରେ ୧କୋଟି ୯୦ଲକ୍ଷ ଟଙ୍କା ବିନିମୟରେ ହେଉଥିବା ସ୍ପୋଟ୍ସ ଏରିନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେପ୍ଟେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମର୍ଦ୍ଦରାମ ଭେଣ୍ଡି ଜୋନ୍ ନିକଟରେ ହେଉଥିବା ୩କୋଟି ଟଙ୍କା ବ୍ୟୟରେ ଶୀତତାପ ନିୟନ୍ତ୍ରିତ ମାଛ ବଜାରକୁ ବୁଲି ଦେଖିବା ସହ ଏହାର କାର୍ଯ୍ୟ ତୋରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ତଥା ବିଡିଏ ଅଧିନରେ ହେଉଥିବା ରକ୍ ଗାର୍ଡେନକୁ ଯାଇ ସେଠାରେ କାର୍ଯ୍ୟ ଦେଖିଥିଲେ । ନିଗମର ୪୦ନମ୍ବର ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଠାରେ ଓଡ଼ିଶାର ପ୍ରଥମ ପ୍ରସ୍ତର ଉଦ୍ୟାନ(ରକ୍ ଗାର୍ଡେନ)ର କାର୍ଯ୍ୟକୁ ନେଇ ଖୁସିବ୍ୟକ୍ତ କରିବା ସହ ସମୟସୀମା ଭିତରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୬ଏକରରୁ ଊର୍ଦ୍ଧ୍ୱ ଜାଗାରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ପ୍ରଥମ ରକ୍ ଗାର୍ଡେନ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ନୂଆ ବର୍ଷରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର କାର୍ଯ୍ୟ ସାରିବା ପାଇଁ ଠିକା ନେଇଥିବା ସଂସ୍ଥାକୁ କହିବା ସହ ବିଡିଏ କର୍ତ୍ତୃପକ୍ଷଙ୍କୁ ଏହାର ତଦାରଖ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଏ ଉପାଧ୍ୟକ୍ଷ ତଥା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ବିଡିଏ ସଚିବ ସମ୍ବିତ ରାଉତ, ବିଡିଏର ସମସ୍ତ ଯନ୍ତ୍ରୀ, ବିଏମ୍ସି ଓ ବିଡିଏର ଅଧିକ୍ଷଣଯନ୍ତ୍ରୀଙ୍କ ସହ ନିର୍ବାହୀଯନ୍ତ୍ରୀ ଇଂ.ବସନ୍ତ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କରୋନା ମହାମାରୀକୁ ନେଇ ଦୀର୍ଘ ୬ମାସ ଧରି ସମସ୍ତ କାର୍ଯ୍ୟ ଠପ୍ ରହିଥିବା ବେଳେ ଏହି କାର୍ଯ୍ୟ କିପରି ତୋରାନ୍ୱିତ ହେବ ଓ ଅଗ୍ରଗତି ହେବ ସେ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ତେଣୁ ଜିଲ୍ଲାପାଳଙ୍କ ଏହି ଗସ୍ତ ଠିକା ନେଇଥିବା ସଂସ୍ଥା ଓ ପ୍ରଶାସନିକ ଅଧିକାରୀଙ୍କ ମନବଳ ବଢ଼ାଇବ ବୋଲି କୁହାଯାଉଛି ।