କେନ୍ଦୁଝର– କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଶେଷ ସୀମାରେ ଥିବା ଯୋଡା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଂଚାୟତ ଅଧିନସ୍ଥ ପିଢ ପୋଖରୀ ଗ୍ରାମକୁ ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପରେ ମଧ୍ୟ ଅଦ୍ୟାବଧି ଭଲ ରାସ୍ତା ଖଣ୍ଡିଏ ନାହିଁ । ଯାହା କି ଜିଲ୍ଲା ବିକାଶର ଏକ ନଗ୍ନ ଉଦାହରଣ ପାଲଟିଛି । କେନ୍ଦୁଝର ଜିଲ୍ଲାରେ ପିଢ ପୋଖରୀ କେବଳ ମାତ୍ର ଗୋଟିଏ ଗ୍ରାମ ନୁହେଁ ଜିଲ୍ଲାରେ ଏଭଳି ଏକାଧିକ ଗ୍ରାମ ରହିଛି । କେଉଁ ଗ୍ରାମରେ ରାସ୍ତା ନଥିବାରୁ ରୋଗୀ ଡାକ୍ତରଖାନାରେ ପହଂଚିପାରେ ନାହିଁ କିମ୍ବା ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେ ନାହଁ । ଏପରି କି ଖୋଦ ଜିଲ୍ଲା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଏପରି ଗ୍ରାମାଂଚଳ ରହିଛି ଯେଉଁ ଗ୍ରାମର ଛାତ୍ର ଛାତ୍ରୀମାନଙ୍କୁ ରାସ୍ତା ଅଭାବରୁ ପାଠ ପଢିବା ଲାଗି ନିଜ ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ଡଙ୍ଗାରେ ଆହୁଲା ମାରି ଦୈନଦିନ ବିଦ୍ୟାଳୟକୁ ଯାଇଥାଆନ୍ତି । ପିଢ ପୋଖରୀ ଗ୍ରାମବାସୀ ମାନେ ରାସ୍ତା ନିର୍ମାଣ ପାଇଁ ପଚାଂୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇପଡିବା ପରେ ମଧ୍ୟ ସେମାନଙ୍କର ସମସ୍ୟାକୁ ଦୂର କରିବା ଦିଗରେ ପ୍ରଶାସନ ଆଗ୍ରହ ପ୍ରକାଶ କଲା ନାହିଁ । ପ୍ରଶାସନର ସହଯୋଗ ଆଶା ମଉଳି ଯିବା ପରେ ଶେଷରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନିଜ ନିଜର ଶ୍ରମଦାନ କରି ରାସ୍ତା ନିର୍ମାଣ କରବାକୁ ଅଟାଂ ଭିଡିିଲେ । ଗତ ଫେବୁଆରୀ ମାସ ୨୮ ତାରିଖ ରେ ପଚାଂୟତ କାର୍ଯ୍ୟାଳୟ ଠାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ପରିଣତ କରିବା ଗ୍ରାମବାସୀଙ୍କର ମୁଖ୍ୟ ଦାବି ରହିଥିଲା । ସଭାରେ ଉପସ୍ଥିତ ବଡ କାଳିମାଟି ପଚାଂୟତର ସରପଂଚ ତ୍ରୀବନ ଗାଗରାଇ, ବାମେବାରୀ ଫରେଷ୍ଟର ଜତିନ୍ଦ୍ର କୁମାର ସାହୁ ଏବଂ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପୀତିମୟଙ୍କ ସହ ପିଢ ପୋଖରୀ ଓ ପୁରୁଣା ଡିହି ଅଚଂଳର ୱାର୍ଡ ସଭ୍ୟ, ସଭ୍ୟା ଓ ଜନ ସାଧାରଣ ଉପସ୍ଥିତ ରହି ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ସମଗ୍ର ଅଂଚଳବାସୀଙ୍କ ପାଇଁ ଏହି ରାସ୍ତାଟି ଯାତାୟତର ଏକ ମାତ୍ର ମାଧ୍ୟମ ହୋଇଥିବା ଦୃଷ୍ଟିରୁ ଏହାକୁ ପିଚୁ କରିବାର ଦାବୀ ଗ୍ରାମବାସୀଙ୍କର ପୂର୍ବରୁ ରହିଥିଲା । ସମସ୍ତ ଦିଗକୁ ବିଚାରକୁ ନେଇ ଦୁବୁନା ଠାରୁ ପିଢ ପୋଖରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୭ କୋଟି ୭୧ ଲକ୍ଷ ୯୨ ହଜାର ଟଙ୍କା ମଞ୍ଜୁର ହେଲା । ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା । କିନ୍ତୁ ବନ ବିଭାଗ ପକ୍ଷରୁ ଏହି ରାସ୍ତା କାମକୁ ବନ୍ଦ କରିଦିଆଗଲା । ଫଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା ।
ଏହି ପିଢପୋଖରୀ ଗ୍ରାମକୁ ସରକାର ୨୦୧୧ ବର୍ଷରେ ଆଦର୍ଶ ଗ୍ରାମ ଭାବେ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ତାପରେ ଗ୍ରାମଟିକୁ ସମ୍ପୂର୍ଣ୍ଣ ଭାବେ ଯେପରି ଭୁଲିଯାଇଥଲେ । ଇତି ମଧ୍ୟରେ ୯ ବର୍ଷ ବିତିଯାଇଛି, କିନ୍ତୁ ଆଜି ବି ଗ୍ରାମକୁ ଭଲ ପାଦ ଚଲା ରାସ୍ତାଟିଏ ନାହିଁ । ଯାହା କି ଜିଲ୍ଲାର ପ୍ରଚାର ସର୍ବସ୍ୱ ବିକାଶକୁ ଏକ ପ୍ରକାର ସ୍ପଷ୍ଟ କରିଛି । ପ୍ରଶାସନର ଏତାଦୃଶ୍ୟ ମନୋଭାବରେ ଅତିଷ୍ଠ ହୋଇ ସ୍ଥାନୀୟ ବାସିନ୍ଦା ଉମାକାନ୍ତ ବାରିକ, ଜନେଶ ପଲେଇ, ରବଟ ଲମାଗା, ପ୍ରଦୀପ ନାଏକ, ପାଣୁ ଦେହୁରୀ, ସୀମାନ୍ତ ଦେହୁରୀ, ସାମନ୍ତ ଦେହୁରୀ, ହେମନ୍ତ ଦେହୁରୀ ପ୍ରମୁଖ ନିଜସ୍ୱ ଅର୍ଥରେ ଜେସିବି ମେସିନ ଲଗାଇବା ରାସ୍ତାକୁ ସମତୁଲ କରିବା ସହିତ ନିଜେ ଶ୍ରମଦାନ କରି ରାସ୍ତାଟିକୁ ଯାତାୟତ ଉପଯୋଗୀ କରିପାରିଛନ୍ତି । ଯାହା କି ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ସରକାର ତଥା ପ୍ରଶାସନର ତଥା କଥିତ ବିକାଶମୁଖୀ କାର୍ଯ୍ୟକ୍ରମ ପ୍ରତି ଶକ୍ତ ଧକ୍କା ସଦୃଶ୍ୟ ହୋଇଥିବା ସଂପର୍କରେ ପ୍ରକାଶ ପାଇଥିବା ମତକୁ ହୁଏତ ଅସ୍ୱୀକାର କରାଯାଇ ନପାରେ । ତେବେ କେବେ ଏହି ଗ୍ରାମ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।