ଭୁବନେଶ୍ୱର– ଭୁବନେଶ୍ୱର ଇମ୍ଫୋସିଟି ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ
ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନେ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ ଛକ ଠାରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ । ଏହି ଘଟଣାର ଅପରାଧିମାନଙ୍କୁ ତୁରନ୍ତ ଗିରଫ କରାଯାଇ ଫାଷ୍ଟ ଟ୍ରାକ୍ କୋର୍ଟରେ ଦଣ୍ଡ ବିଧାନ କରାଯିବା ସହ ନାବାଳିକାକୁ କ୍ଷତି ପୂରଣ ବାବଦକୁ ସରକାର ତୁରନ୍ତ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରିଛି ।
ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ୍ ପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କର ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କା ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱ ନିଭେଇବାରେ ଅସମର୍ଥ ହୋଇ ପଡିଛନ୍ତି । ଇମ୍ଫୋସିଟି ଅଂଚଳର ନାବାଳିକାକୁ ପୋଲିସ ଓ ଏକ ନିର୍ଦ୍ଦଷ୍ଟ ମିଡିଆର କର୍ମଚାରୀ ଏବଂ ଅନ୍ୟ ଅପରାଧି ୧୦ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ଏ ପର୍ଯ୍ୟନ୍ତ ଅପରାଧି ବାହାରେ ବୁଲୁଛନ୍ତି ଏବଂ ସମସ୍ତ ଅପରାଧିଙ୍କୁ ଗିରଫ କରିବା ପାଇଁ ପୋଲିସ ଅସମର୍ଥ ହୋଇଛି । ଲକ୍ଡାଉନ୍ ସମୟରେ ଲୋକେ ବଂଚି ରହିବା ପାଇଁ ସଂଘର୍ଷ କରୁଥିବା ବେଳେ କିଛି ପୋଲିସ କର୍ମଚାରୀ, ଏକ ନିର୍ଦ୍ଦିଷ୍ଟ ମିଡିଆର ପ୍ରତିନିଧି ଓ ଅନ୍ୟାନ୍ୟ ଲୋକ ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରିଛନ୍ତି ତାହା ଅତି ଲଜ୍ଜାର ବିଷୟ । ନାବାଳିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ।