ରାଉରକେଲା– ନୂଆକରି ହୋଇଥିବା ଭିଜିଲାନ୍ସର ରାଉରକେଲା ଡିଭିଜନକୁ ଅଧିକରୁ ଅଧିକ କ୍ରିୟାଶୀଳ କରାଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଜିବ ବୋଲି ରାଉରକେଲା ଡିଭିଜନ ଭିଜିଲାନ୍ସର ପ୍ରଥମ ଏସପି ହରେକୃଷ୍ଣ ବେହେରା ସୂଚନା ଦେଇଛନ୍ତି । କୋଭିଡ୍ ଲାଗି ନିରାଡମ୍ବରପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ରାଉରକେଲା ଡ଼ିଭିଜନର ଦାୟିତ୍ୱ ନେଲା ପରେ ସେ ଆଜି କହିଛନ୍ତି ଏହି ଡିଭିଜନର ଉଦଘାଟନ ଡାଇରେକ୍ଟର ଆସି କରିବା କଥା, କିନ୍ତୁ କୋଭିଡ୍ ଲାଗି ସବୁକିଛି ସ୍ଥଗିତ ରହିଲା । କେବଳ ସେ ନିଜେ ଆସି ତାଙ୍କ ଦାୟିତ୍ୱ ନେଇ କାମ ଆରମ୍ଭ କରିଛନ୍ତି । ତେବେ ସୁନ୍ଦରଗଡ, ରାଉରକେଲା, ଦେବଗଡ ଓ ଝାରସୁଗୁଡାରେ କିଭଳି ସାଧାରଣ ଜନତାଙ୍କର ଭିଜିଲାନ୍ସ ସହ ସମ୍ପର୍କ ବଢିବ ଓ ଲୋକଙ୍କୁ ସେମାନଙ୍କର ବିଭିନ୍ନ ଦୁର୍ନୀତି ସମ୍ପର୍କୀୟ କାମରେ ଭିଜିଲାନ୍ସ ସହଯୋଗ କରିପାରିବ ତାହା ହିଁ ମୂଳ ଲକ୍ଷ୍ୟ ହେବ ବୋଲି ଶ୍ରୀ ବେହେରା କହିଛନ୍ତି । ତେବେ ବର୍ତମାନ ପୁରୁଣା ରାଉରକେଲା ଭିଜିଲାନ୍ସ ଓ ନୂଆ ଡିଭିଜନ ରାଉରକେଲା ଅଫିସରେ କେବଳ ୧୬ ଜଣ କର୍ମଚାରୀ ଅଫିସର ଅଛନ୍ତି ବୋଲି ସେ କହିଛନ୍ତି । ତେବେ ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡରେ ଅଫିସର ମୁଖ୍ୟ କୁହାଯାଉଥିବା ଡିଏସପି ପଦ ଖାଲି ରହିଥିବା ବେଳେ ଅନ୍ୟାନ୍ୟ ପଦବୀ ମଧ୍ୟ ଖାଲି ପଡିଛି । ସେହିଭଳି ରାଉରକେଲା ଡିଭିଜନ ହେବା ବେଳେ ସରକାର ମାତ୍ର ଜଣେ କିରାଣୀ, ୨ ଜଣ ଇନ୍ସପେକ୍ଟର, ୩ ଜଣ କନେଷ୍ଟବଳ, ଜଣେ ଏସପିଙ୍କୁ ଦେଇ ଡିଭିଜନ କାମ ଆରମ୍ଭ କରିଛନ୍ତି ବୋଲି ଖବର ମିଳିଛି । ଗୋଟାଏ ଡିଭିଜନ ଲାଗି ଜଣେ ଏସପିଙ୍କ ସମେତ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି,୫ରୁ ୬ ଜଣ ଇନ୍ସପେକ୍ଟର, ଜଣେ ଷ୍ଟେନୋ, ଡ୍ରାଇଭର, ୨ରୁ ୩ଟି ଗାଡି ଓ ଅନ୍ୟୁନ୍ୟ ୧୦ ଜଣ କନେଷ୍ଟବଳ ଦେବା କଥା । ତାପରେ ଭିଜିଲାନ୍ସ ଡିଭିଜନ ମୁଖ୍ୟ ତାଙ୍କ କାମ ସୁରୁଖୁରୁରେ କରିବାର ସୁଯୋଗ ସୃଷ୍ଟି ହୁଏ । କିନ୍ତୁ ରାଉରକେଲା ଡିଭିଜନରେ ଏସବୁର ବ୍ୟବସ୍ଥା କରାଯାଇନାହିଁ । ତଥାପି ଏସପି କହିଛନ୍ତି ଭିଜିଲାନ୍ସ ତାର କାମ ସଠିକ୍ ଭାବେ କରିବ । ଏହି ଡିଭିଜନର କେଶ୍ କରିବାର ଲକ୍ଷ୍ୟ ନେଇ ସେକିଛି ଷ୍ପଷ୍ଟ କରିନଥିଲେ ବି ସମୟ ଅନୁଶାରେ ତାହା ଜଣାପଡିବ ବୋଲି କହିଛନ୍ତି । ଏହା ଛଡା ଏସପି ଭିଜିଲାନ୍ସ ରାଉରକେଲାଙ୍କ ଲାଗି ନୂତନ ଅଫିସ ଗୃହ ଏଯାଏ ନିର୍ମାଣ କରାଯାଇନାହିଁ, ୨ ମାସ ତଳେ ପୂର୍ତ ବିଭାଗ ରାଉରକେଲା ସମ୍ବଲପୁରରୁ ଏଥିଲାଗି ସମସ୍ତ କାଗଜପତ୍ର ପ୍ରସ୍ତୁତ କରିଆଣିଥିଲେ ବି ଟେଣ୍ଡର ହୋଇନଥିବାରୁ ଚିହ୍ନଟ ହୋଇଥିବା ଯାଗା ଖାଲିପଡିଛି । ପୂର୍ବରୁ ଏହି ୪ଟି ଅଂଚଳ ସମ୍ବଲପୁର ଅଧିନରେ ଥିଲା । ସେ ସମୟରେ ବିଗତ ୨ ବର୍ଷରୁ ଅଧିକ ସମୟ ଧରି ରାଉରକେଲାରେ ଅଫିସ ଥାଇ ମଧ୍ୟ ରାଉରକେଲାରେ ଚାଲିଥିବା ଲୁଟ ପାଟ୍ ବିଷୟରେ ଏହି ବିଭାଗ ଦୃଷ୍ଟି ଦେଇ ନାହଁ । ଫଳରେ ପୂର୍ତ ବିଭାଗରେ ଇଞ୍ଜିନିୟର ମାନେ ୨୫ ବର୍ଷ ପୂରଣ କରି ବହୁ ଲୁଟପାଟ କରିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡିଲେ ବି ଭିଜିଲାନ୍ସର ବାବୁ ମାନେ ଚୁପ୍ ଥିଲେ ।
ସେହିଭଳି ମହାନଗର ନିଗମରେ ୨୫ରୁ ୩୦ ବର୍ଷ ଧରି କିରାଣୀ ରହି ବହୁ ସମ୍ପତିର ଅଧିକାରୀ ହେବା, ଇଞ୍ଜିନିୟରମାନେ ୧୫ ବର୍ଷ ଧରି ରହିବା ଓ ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ, ଆରଡିଏରେ ହୋଇଥିବା ଲୁଟପାଟ୍ ଅଭିଯୋଗ, ଜଙ୍ଗଲ ବିଭାଗରେ ଚାରା ରୋପଣ ନେଇ ବଣେଇ, ସୁନ୍ଦରଗଡ ଓ ରାଉରକେଲାକୁ ଡିଏମଏଫ ଫଣ୍ଡରୁ ଆସିଥିବା ୪ କୋଟି ଟଙ୍କାର ହିସାବ ସମେତ ଶ୍ରମ ବିଭାଗର ଲୁଟ ପାଟ ନେଇ ଅନେକ ଅଭିଯୋଗ ପରେ ବି ରାଉରକେଲା ଭିଜିଲାନ୍ସ ଚୁପ୍ ଥିଲା । ଏଠାରେ ସେ ସମୟରେ ଡିଏସପି ମାନେ ଥିଲେ, କିନ୍ତୁ କାମ ପୁରା ଶୁନ୍ । ଫଳରେ ଏ ଜିଲ୍ଲାରେ ଲୋକେ ସ୍ଥାନୀୟ ଭିଜିଲାନ୍ସକୁ ଛାଡି କଟକ ଯାଇ ଭିଜିଲାନ୍ସ ସେଲ୍ ୟୁନିଟର ସହାୟତା ନେଇ ନିଜ ସମସ୍ୟାର ସମାଧାନ କରୁଥିଲେ । ନିକଟ ଅତିତରେ ରାଜଗାଙ୍ଗପୁର ଠାରେ ହୋଇଥିବା ଚଢ଼ଉ ତାର ଜ୍ୱଳନ୍ତ ଉଦାହରଣ । ତଥାପି ନୂତନ ଏସପିଙ୍କ ଉପରେ ଭରଷା କରାଯାଇପାରେ, ସେ ଅତିତରେ କୋରାପୁଟ ଏସପି ଭାବେ କାମ କରିବା ସହ ଭିଜିଲାନ୍ସ ଏକାଡେମୀରେ ଥିଲେ ଓ ଏହା ପୂର୍ବରୁ ଡାଇରେକ୍ଟୋରେଟରେ ମଧ୍ୟ ଥିଲେ । ଜଣେ ଦକ୍ଷ ଓ ବିଜ୍ଞ ଅଫିସର ଭାବେ ତାଙ୍କର ପରିଚୟ ରହିଛି । ରାଉରକେଲା ସମେତ ଡିଭିଜନର ଅନ୍ୟ ଅଂଚଳରେ ଲୋକ ସଂପର୍କ ବଢାଇ ସରକାରଙ୍କ ସହଯୋଗ ନେଇ ସେ ଏ ନୂଆ ଡିଭିଜନକୁ ମାର୍ଗଦର୍ଶନ ଦେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।