Related Stories
November 22, 2024
ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଭୁଲ୍ ଲକ୍ଡାଉନ୍ ଓ ସଟ୍ ଡାଉନ୍ ନୀତି ଫଳରେ ଦେଶରେ ଶ୍ରମିକ ମାନଙ୍କର ଘର ବାହୁଡା ଜନିତ ଅସୁବିଧା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାକୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକମାନେ ଫେରିବା ସହ ରାଜ୍ୟ ସରକାରଙ୍କ ପରିଚାଳନା ଓ ଥଇଥାନଗତ ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ସୁରଥରୁ ଆସିଥିବା ଶ୍ରମିକଙ୍କ ବିରୁଦ୍ଧରେ ରାଜ୍ୟ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅପପ୍ରଚାର କଲେ ଏପରିକି ପ୍ରବାସୀ ଶ୍ରମିକଙ୍କୁ ଠିକ୍ ଭାବରେ ସେମାନଙ୍କର ପ୍ରାପ୍ୟ ୨ହଜାର ଟଙ୍କା ମଧ୍ୟ ଦେଲେ ନାହିଁ । ସେମାନଙ୍କର ରହିବା, ଖାଇବାର ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଶ୍ରମିକ ଜିଲ୍ଳାକୁ ଆସିଲେ ଓ ଗଲେ ତାର ମଧ୍ୟ କୌଣସି ହିସାବ ସରକାରଙ୍କ ପାଖରେ ରହିଲା ନାହିଁ । ସରକାର ଜଙ୍ଗଲରେ କେତେ ବାଘ ଅଛନ୍ତି ତାହା ଗଣି ପାରୁଛନ୍ତି କିନ୍ତୁ ଗଞ୍ଜାମ ଜିଲ୍ଲାରୁ କେତେ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି ତାହା ଆଜି ସୁଦ୍ଧା ଗଣିପାରୁ ନାହାଁନ୍ତି । ରାଜ୍ୟ ସରକାରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁ ଯେଉଁ ଶ୍ରମିକମାନେ ଘର ମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣାମାନ ଘଟି ପ୍ରାଣ ହରେଇଥିବା ନଜର ଅଛି । ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି । ଯାହାରି ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନଡରି ବଞ୍ôଚବା ଆଶାରେ ସୁରଥ, କଲ୍କତା, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗଲୁର ପ୍ରଭୃତି ରାଜ୍ୟକୁ ଯାଉଛନ୍ତି । ଶୁକ୍ରବାର ଛତିଶଗଡର ରାୟପୁର ନିକଟରେ ଗଞ୍ଜାମରୁ ଯାଉଥିବା ୮ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ଗତ କିଛି ଦିନ ହେଲା ହଜାର ହଜାର ପ୍ରବାସୀ ଶ୍ରମିକ ଅନେକ ବସ୍ରେ ଅତି ବିପଦସଙ୍କୁଳ ଅବସ୍ଥାରେ ଅନ୍ୟ ରାଜ୍ୟକୁ କାମ ଆଶାରେ ଯାଉଛନ୍ତି । ଏକଥା ରାଜ୍ୟ ସରକାର ଜାଣି ଅଜଣା ପରି ଚୁପ୍ ରହୁଛନ୍ତି । ଶ୍ରମିକ ମାନଙ୍କର ଯିବା ଆସିବାର କୌଣସି ପଞ୍ଜିକରଣ କରାଯାଉନାହିଁ । ରାଜ୍ୟ ସରକାର ତୁରନ୍ତ ଶନିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତୁ ବୋଲି ସ୍ଥାନୀୟ ବାପୁଜୀ ଆଶ୍ରମ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ସୂଚନା ଦେଇଛନ୍ତି ।