
ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଓ ରାଷ୍ଟୀୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଶ୍ୱ କରୋନା ସଙ୍କଟରେ ପଂଚସୂତ୍ରୀ କାର୍ଯ୍ୟକ୍ରମକୁ ରାଜ୍ୟରେ ବିଜେପି କାର୍ଯ୍ୟକର୍ତମାନେ ସଠିକ୍ ଢଙ୍ଗରେ ପାଳନ କରିଛନ୍ତି । ଗତ ୬ ବର୍ଷ ମୋଦି ସରକାରଙ୍କ ଶାସନରେ ଗରିବ ଲୋକ ସବୁଠୁ ଅଧିକ ଉପକୃତ ହୋଇଛନ୍ତି । କିନ୍ତୁ ଓଡିଶାରେ ବିଜେଡି ସରକାର ଥିବାରୁ ତୃଣମୂଳସ୍ତରରେ ଅନେକ ଯୋଜନା ପହଂଚି ପାରିନାହିଁ । ଚତୁର୍ଦ୍ଦଶ ଅର୍ଥ କମିଶନରେ ପଂଚାୟତ ଗୁଡିକର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଥିଲା ତାହା ଖର୍ଚ୍ଚ ହୋଇନାହିଁ । ସ୍ମାଟସିଟି ଯାଜନା ଏବଂ ପିଇବା ପାଣିରେ ଅର୍ଥ ତୋଷାରପାତ କରାଯାଇଛି । ସାଧାରଣ ଗରିବ ଲୋକଙ୍କ ହକ୍ ଏବଂ ଅଧିକାର ପାଇଁ ବିଜେପି ଲଢେଇ କରୁଛି । ମୋଦି ଶାସନରେ ଓଡିଆ ଲୋକଙ୍କୁ ସମ୍ମାନ ଦିଆଯାଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ । ଆତ୍ମନିର୍ଭରଶୀଳ ଯୋଜନାରେ ସମସ୍ତେ ଆତ୍ନନିର୍ଭର ହେବା ପାଇଁ କାର୍ଯ୍ୟକର୍ତମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏବଂ କିଛି ମୁଷ୍ଟିମେୟ ଅଧିକାରୀମାନେ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି । ପଂଚାୟତଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡି ସରକାର କେବଳ ଭୋଟ ରାଜନୀତି କରୁଛି । ମନ୍ତ୍ରୀମାନଙ୍କର କର୍ତବ୍ୟ ଓ ଦାୟୀତ୍ୱ ଅଳ୍ପ କିଛି ମୁଷ୍ଟିମେୟ ଅଧିକାରୀମାନେ କରୁଛନ୍ତି । ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ରଥାଯାତ୍ରା ନକରିବାର ଷଡଯନ୍ତ୍ର ରାଜ୍ୟ ସରକାର କରିିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରୟାସ ଯୋଗୁଁ ରଥଯାତ୍ରା ସମ୍ଭବ ହୋଇପାରିଲା । ପ୍ରସାଦ ଯୋଜନାରେ ପୁରୀ ସହରର ବିକାଶ ଓ ଜଗନ୍ନାଥ ବିଶ୍ରାମ ସ୍ଥଳୀ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାକୁ ଖର୍ଚ୍ଚ ନକରି ରାଜ୍ୟସରକାର ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ୩ ମାସ ପାଇଁ ଦଲୀୟ ଖସଡା ପ୍ରସ୍ତୁତ କରାଯାଇଛି । ପ୍ରଥମେ ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା । କୋଭିଡ୍ କଟକଣା କାରଣରୁ ୱେବିନାର ମାଧ୍ୟମରେ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଏହି ବୈଠକରେ ସାମିଲ ହୋଇଥିଲେ । ଦଳର ସାଙ୍ଗଠନିକ ସ୍ଥିତି ସହ ଆଗାମୀ ଦିନର ରଣନୀତି ଉପରେ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା ।