ଭୁବନେଶ୍ୱର – ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଶନିବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରିଛନ୍ତି ।
ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ । ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍ କରିଛନ୍ତି । ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି ।
ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬.୬୩ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ୪୪.୬୭ ପ୍ରତିଶତ ପିଲା ପାସ କରିଥିବା ସୂଚନା ରହିଛି ।
ସେହିପରି ଧନ୍ଦାମୂଳକ ଶିକ୍ଷାରେ ୪୦୪୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫୮୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ।