-
ଏହି ସବୁ ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ରର ନିରାପତ୍ତା ଓ ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି
ନୂଆଦିଲ୍ଲୀ, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଯୁକ୍ତି ଆଇନର ଧାରା 69(ଏ) ଯାହାକି ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କ ସୂଚନା ଆହରଣକୁ ବ୍ଲକ୍ କରିବା ବିଧି ଓ ନିରାପତ୍ତା) ନିୟମାବଳୀ, 2009 ଭାବେ ସଂପୃକ୍ତ ବ୍ୟବସ୍ଥା ସହ ଜଡ଼ିତ ତାହାକୁ ଜାରି କରି ଦେଶରେ ସୃଷ୍ଟି ହୋଇଥିବା ବିପଦର ଆଶଙ୍କା ପରିସ୍ଥିତିକୁ ଦୃଷ୍ଟିରେ ରଖି 118ଟି ମୋବାଇଲ୍ ଆପର ପ୍ରଚଳନକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । (ପରିଶିଷ୍ଟରେ ଏହିସବୁ ଆପ୍ ର ସଂପୂର୍ଣ୍ଣ ତାଲିକା ପ୍ରଦତ୍ତ) । ଏବେସୁଦ୍ଧା ସେହିସବୁ ଆପ୍ ଗୁଡ଼ିକ ସଂପର୍କରେ ଉପଲବ୍ଧ ତଥ୍ୟ ଓ ସୂଚନା ଅନୁସାରେ ଏଗୁଡ଼ିକର ବ୍ୟବହାର ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଦେଶର ପ୍ରତିରକ୍ଷା ତଥା ରାଷ୍ଟ୍ରର ନିରାପତ୍ତା ତଥା ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସେସବୁକୁ ନିଷିଦ୍ଧ କରିବା ଲାଗି ସ୍ଥିର କରାଯାଇଛି ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଇତି ପୂର୍ବରୁ ଏହିସବୁ ଆପମାନଙ୍କ ସଂପର୍କରେ ବିଭିନ୍ନ ସୂତ୍ରରୁ ଅନେକ ଅଭିଯୋଗ ପାଇଥିଲା ଏବଂ ସେଥିରେ ଅନେକ ରିପୋର୍ଟ ସାମିଲ ଯେଉଁଥିରେ ସେସବୁ ମୋବାଇଲ୍ ଆପଗୁଡ଼ିକର ଅପବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିଲା । ଏହିସବୁ ଆପ୍ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ଏବଂ ସେଗୁଡ଼ିକ ଅତି ଚତୁରତାର ସହ ବ୍ୟବହାରକାରୀଙ୍କ ଅଜାଣତରେ ସେମାନଙ୍କ ଡାଟାକୁ ବେଆଇନ ଭାବେ ଅନ୍ୟ ସ୍ଥାନକୁ ପ୍ରେରଣ କରୁଥିଲା । ଯେଉଁସବୁ ସର୍ଭରକୁ ଏହିସବୁ ଡାଟା ପ୍ରେରଣ କରାଯାଉଥିଲା ସେଗୁଡ଼ିକ ଭାରତ ବାହାରେ ଅବସ୍ଥିତ । ଏଭଳି ଡାଟାର ଜଟିଳତା, ଏହାର ଗଚ୍ଛିତକରଣ ଏବଂ ସେସବୁକୁ ଯେଉଁ ବିରୋଧୀ ତତ୍ତ୍ୱମାନେ ପ୍ରୋଫାଇଲ୍ କରୁଛନ୍ତି ସେମାନେ ଭାରତର ଜାତୀୟ ନିରାପତ୍ତା ତଥା ପ୍ରତିରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ । ଏହାକୁ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିକାରୀ ବୋଲି ବିବେଚନା କରାଯାଇପାରେ । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ସେହି କାରଣରୁ ତୁରନ୍ତ ଏହା ଉପରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ଉପଲବ୍ଧ କରାଯାଇଥିଲା ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଭାରତର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର, ଏହି ସବୁ ଖଳ ଉଦ୍ଦେଶ୍ୟ ସାଧନକାରୀ ଆପ୍ଗୁଡ଼ିକୁ ବନ୍ଦ କରିବା ନିମନ୍ତେ ବିସ୍ତୃତ ସୁପାରିଶ କରିଛନ୍ତି । ତଦନୁସାରେ, ଅନ୍ୟାନ୍ୟ ପକ୍ଷଙ୍କ ଦ୍ୱାରା ମଧ୍ୟ ଉଦ୍ବେଗ ପ୍ରକଟ କରାଯାଇଛି ଏବଂ ସେଥିରେ ବିଭିନ୍ନ ଜନ ପ୍ରତିନିଧିଙ୍କ ଉଦ୍ବେଗ ତଥା ଦାବି ରହିଛି । ସଂସଦ ଭିତରେ ଓ ବାହାରେ ଏଭଳି ଉଦ୍ବେଗ ପ୍ରକଟ କରାଯାଇଛି । ଭାରତର ସାର୍ବଭୌମତ୍ୱ ବିରୋଧରେ ତଥା ଦେଶର ନାଗରିକଙ୍କ ଗୋପନୀୟତା ବିରୋଧରେ କାର୍ଯ୍ୟ କରୁଥିବା ଏଭଳି ଆପମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇ ଆସୁଥିଲା ।
ଏଭଳି ଅଭିଯୋଗ ଆଧାରରେ ଏବଂ ସେ ସଂପର୍କରେ ନିକଟରେ ନିର୍ଭରଯୋଗ୍ୟ ସୂଚନା ପ୍ରାପ୍ତ ହେବା ପରେ ସେସଂପର୍କରେ ଅନୁମତି ଲୋଡ଼ା ଯାଇଥିଲା ଏବଂ ପୂର୍ବୋକ୍ତ ଆପଗୁଡ଼ିକ ସଂଗ୍ରହ କରୁଥିବା ଡାଟାର କାର୍ଯ୍ୟକାରୀତା ସଂପର୍କରେ ଅଧିକ ତଥ୍ୟ ସୂଚନା ସଂଗ୍ରହ କରାଯାଇଥିଲା । ସେହିସବୁ ଆପ୍ ଗୋପନରେ ସଂଗ୍ରହ କରୁଥିବା ଏବଂ ସେସବୁକୁ ଅନ୍ୟତ୍ର ପଠାଉଥିବା ସୂଚନା, ଯାହାକି ଲବ୍ଧ ସୂଚନାରୁ ଜଣା ପଡ଼ିଥିଲା ଯେ ତାହା ଅତ୍ୟନ୍ତ ଗୁରୁତର ଉଦ୍ବେଗର କାରଣ । ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଓ ସୂଚନାକୁ ଅନ୍ୟତ୍ର ସର୍ଭରକୁ ପଠାଯିବା ରାଷ୍ଟ୍ର ପାଇଁ ନିଶ୍ଚିତ ନିରାପତ୍ତା ଦୃଷ୍ଟିରୁ ବିପଦର କାରଣ ।
ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଦୃଷ୍ଟିରୁ, ଦେଶର ପ୍ରତିରକ୍ଷା କାରଣରୁ ଏବଂ ରାଷ୍ଟ୍ରର ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାର ଏହିସବୁ ଆପଗୁଡ଼ିକୁ ବ୍ଲକ୍ କରିଛନ୍ତି । ଭାରତ ସରକାର ତାଙ୍କର ସାର୍ବଭୌମ କ୍ଷମତା ଉପଯୋଗ କରି ସ୍ଥିର କରିଛନ୍ତି ଯେ କେତେକ ଆପ୍ ର ବ୍ୟବହାର, ଯାହାକି ମୋବାଇଲ୍ ଏବଂ ଅଣ ମୋବାଇଲ୍ ଇଣ୍ଟରନେଟ୍ ସକ୍ଷମ ଡିଭାଇସ୍ରେ ଉପଯୋଗକ୍ଷମ, ସେଗୁଡ଼ିକୁ ବ୍ଲକ୍ କରାଯିବ । ସେହିସବୁ ଆପ୍ଗୁଡ଼ିକର ସଂପୂର୍ଣ୍ଣ ତାଲିକା ନିମ୍ନରେ ପ୍ରଦତ୍ତ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।
ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପ କୋଟି କୋଟି ଭାରତୀୟ ମୋବାଇଲ୍ ଉପଭୋକ୍ତା ତଥା ଇଣ୍ଟରନେଟ ବ୍ୟବହାକାରୀଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବ । ଏଭଳି ନିଷ୍ପତ୍ତି ଏକ ଲକ୍ଷ୍ୟ ହାସଲକାରୀ ପଦକ୍ଷେପ ଯାହା ଭାରତୀୟ ସାଇବରସ୍ପେସର ସୁରକ୍ଷା, ନିରାପତ୍ତା ତଥା ସାର୍ବଭୌମତ୍ୱକୁ ସୁନିଶ୍ଚିତ କରିବ