ମାଲକାନଗିରି-ଦୁଇଥର ଅପରେସନ ପରେ ବି ତିନିବର୍ଷର ଶିଶୁର ଯନ୍ତ୍ରଣା କମୁନି । ଦିନକୁ ଦିନ ଆଙ୍ଗୁଠିଗୁଡିକ ବଙ୍କିଯାଉଛି । ପାଠପଢା ଦୂରରେ ଥାଉ ହାତରେ କୌଣସି ଜିନିଷ ଧରିପାରୁନି । ବାହାରକୁ ନେଇ ଅଧିକ ଚିକିତ୍ସା କରିବାକୁ ବାପା ମାଆ ପାଖରେ ଟଙ୍କା ନାହିଁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁଷୁଗୁଡା ପଞ୍ଚାୟତ ଏମପିି – ୭୮ ଗାଁରେ । ଶିଶୁ ଟି ହେଲା ବିକାଶ ମଣ୍ଡଳ ଓ ଶିବାନୀଙ୍କ ଏକମାତ୍ର ପୁଅ ବିକ୍ରମ । ସରକାର ଅବା କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇବାକୁ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି । ଦୀର୍ଘ ୯ ମାସ ତଳେ ପିଲାଟି ଅସାବଧାନତା ଯୋଗୁ ଚୁଲିରେ ପଡ଼ିଯାଇଥିଲା । ନିଆଁ ଲାଗି ଦୁଇହାତ ଓ ଶରୀରର ଅନ୍ୟ କିଛି ଅଂଶ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ପିଲାଟିର ସ୍ଵାସ୍ଥ୍ୟବସ୍ଥାରେ କିଛି ସୁଧାର ଆସିଲା ନାହିଁ । ବାହାରକୁ ନେଇ ଚିକିତ୍ସା କରିବାକୁ ଟଙ୍କା ନଥିବାରୁ ଘରଲୋକେ କିଛି ଆସବାପତ୍ର ବିକ୍ରିକରି ପୁଅକୁ ପଡୋଶୀ ତେଲେଙ୍ଗାନାରାଜ୍ୟ ଭଦ୍ରାଚଲମ ମେଡି କାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ସେଠାରେ ଡାକ୍ତର ପିଲାଟିର ଦୁଇହାତର ଅପରେସନ କରାଯିବ ବୋଲି କହିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିକ୍ରମ ଵିକ୍ରମ ରଦୁଇହାତରେ ଅସ୍ତ୍ରୋପଚାର କରାଯାଇଥିଲା । ସୁସ୍ଥ ହୋଇଯିବ ଭାବିପରିବାର ଲୋକେ ଶିଶୁଟିକୁ ଧରି ଘରକୁ ଚାଲି ଆସିଥିଲେ । କିଛିଦିନ ପରେ ତାର ଆଙ୍ଗୁଠିଗୁଡିକ ଧୀରେଧୀରେ ବଙ୍କା ହେବାରେ ଲାଗିଲା । ବାପା ଓ ମାଆ ଏଥିରେ ବିଚଳିତ ହୋଇ ପୁଣି ପିଲାଟିକୁ ଭଦ୍ରାଚଲମ ମେଡି କାଲକୁ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଧାରଉଧାର କରି ପୁନର୍ବାର ପିଲାଟିର ହାତ ଅପରେସନ କରାଯାଇଥିଲା । ଶିଶୁଟିର ଦୁଇ ଥର ଅପରେସନ ପରେ ପରିବାର ଏକପ୍ରକାର ତଳିତଳାନ୍ତ ହୋଇଯାଇଛନ୍ତି । ବାପା ମାଅ ଉଭୟେ ମୂଲଲାଗି ପରିବାର ଚଳାଉଛନ୍ତି । ଏବେ ପୁଣି ପିଲାଟିର ଆଙ୍ଗୁଠିଗୁଡିକ ପୂର୍ବଭଳି ବଙ୍କା ହେବାରେ ଲାଗିଛି । ଯନ୍ତ୍ରଣା ସହି ନପାରି ଶିଶୁଟି ରାହା ଧରି କାନ୍ଦୁଛି । କୌଣସି ଜିନିଷ ହାତରେ ଧରିପାରୁନି । ସ୍ଥାନୀୟ ଅଙ୍ଗନବାଡିରେ ନାଁ ଲେଖା ହୋଇଥିଲେ ହେଁ ଶିଶୁଟି ସିଲଟ , ଖଡି ହାତରେ ଧରିପାରୁନି । ପାଖରେ ଆଉ ଟଙ୍କା ନଥିବାରୁ ଶିଶୁଟିକୁ ବାହାରକୁ ନେଇ ଚିକିତ୍ସା କରାଇବାକୁ ପରିବାର ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡିଛି । ଶିଶୁଟି ଏକପ୍ରକାର ଦିବ୍ୟାଙ୍ଗ ପାଲଟି ଯାଇଥିବାରୁ ପରିବାରର ଚିନ୍ତା ବଢିଯାଇଛି । ପ୍ରଶାସନ ପକ୍ଷରୁ ଏହି ପରିବାରକୁ ଆଜିଯାଏ କୌଣସି ପ୍ରକାର ସହାୟତା ମିଳି ନାହିଁ । କିଛି ସରକାରୀ ସହାୟତା ଅବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ବାହାରକୁ ଶିଶୁଟିକୁ ନେଇ ଅଧିକ ଚିକିତ୍ସା କରାଇବେ ବୋଲି ପରିବାର ଲୋକେ ଆଶା ପୋଷଣ କରିଛନ୍ତି । ଏଥିପାଇଁ ଉଭୟ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।