ଭୁବନେଶ୍ୱର– ଚଳିତ ବର୍ଷ ଭୁବନେଶ୍ୱରରେ ନିରାଡମ୍ବର ସହକାରେ ଦୁର୍ଗାପୂଜା ପାଳିତ ହେବ । ପୂଜା ବେଳେ ତୋରଣ ବା ଆଲୋକମାଳା ସାଜସଜ୍ଜା ହେବ ନାହିଁ । ଘର ଘର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ । ପୂଜା କମିଟିର କେବଳ ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ସୋମବାର ଦିନ ରାଜଧାନୀର ବିଭିନ୍ନ ପୂଜା କମିଟି ସହ କମିଶନରେଟ୍ ପୋଲିସ୍ ର ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ବୈଠକର ନିଷ୍ପତି ଅନୁଯାୟୀ ଚଳିତ ଦୁର୍ଗା ପୂଜାରେ ମଣ୍ଡପ ମାନଙ୍କରେ ପୂଜା ଅନୁଷ୍ଠିତ ହେବ । ମାତ୍ର ଲୋକମାନେ ମଣ୍ଡପକୁ ଆସି ଭିଡ କରିବା ପରିବର୍ତେ ଘରେ ରହି ପୂଜା କରିବାକୁ କୁହାଯାଇଛି । ମଣ୍ଡପ ଗୁଡିକରେ ମୂର୍ତିର ଉଚ୍ଚତା ୪ ରୁ ୫ ଫୁଟ୍ ମଧ୍ୟରେ ରହିବ । ମଣ୍ଡପରେ ମାଇକ୍ ବାଜି ପାରିବ ନାହିଁ । କେବଳ ମନ୍ତ୍ରପାଠ ପାଇଁ ମାଇକ୍ ବାଜିବା ସମ୍ପର୍କରେ ପରେ ନିଷ୍ପତି ନିଆଯିବ । ରାବଣପୋଡି କିମ୍ବା ଭସାଣ ଉତ୍ସବ ହେବ ନାହିଁ । ନିରାଡମ୍ବର ଭାବେ ମୂର୍ତି ବିସର୍ଜନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡରୁ ଦୂରେଇ ରହିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଚଳିତ ବର୍ଷ ପୁରୀ ରେ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ବିନା ଅନୁଷ୍ଠିତ ହୋଇଥିବା ବେଳେ ସାର୍ବଜନିନ ଗଣେଶ ପୂୂୂୂୂଜା ପାଇଁ ମଧ୍ୟ ଅନୁମତି ମିଳିନଥିଲା ।