
ରାଉରକେଲା– ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଠାରେ ଥିବା ଲିବରଟି ହାଉସ ନାମକ କାରଖାନାରେ କାମ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ସେହି କାରଖାନାର ଜଣେ ବରିଷ୍ଠ ଅଧିକାରୀ ଏକାକି ପାଇ ଅସଦାଚରଣ, ବାରମ୍ବାର ଅସଦାଚରଣ କରି ଚାକିରୀ ନିୟମିତ କରାଇଦେବା ଆଦି କହି ଚାଲିଥିବା ଖବରରେ ସମ୍ପୃକ୍ତ ଅଧିକାରୀ ଜଣକ ତଦନ୍ତର ସମ୍ମୁଖୀନ ହୋଇ ଶନିବାର ଦିନ ଇସ୍ତଫା ଦେଇଥିବା ଖବର ମିଳିଛି । ତେବେ ଘଟଣାକୁ ଏକ ସପ୍ତାହ ବିତି ଗଲା, ହେଲେ ମାମଲା ସମ୍ପର୍କରେ ମହିଳା ଜଣକ କାରଖାନାର ମୁଖ୍ୟଙ୍କୁ ଜଣାଇବା ପରେ ସଂପୃକ୍ତ ଅଧିକାରୀ ଏନେଇ ଏକ ତଦନ୍ତ କାରଖାନା ସ୍ତରରେ କରାଇଥିବା ବେଳେ ସଂପୃକ୍ତ ଅଫିସର ଏହି ତଦନ୍ତର ସମ୍ମୁଖୀନ ମଧ୍ୟ ହେଲେ, ତା ପରେ ସେ ଇସ୍ତଫା ଦେଇ ଘରେ ରହିଲେ । କିନ୍ତୁ ଏଯାଏ ଏହି ମାମଲା ନେଇ ସୁନ୍ଦରଗଡ ପୁଲିସ ନିକଟରେ କିଛି ଖବର ନଥିବା ଜଣାପଡିଛି । ପାଖରେ ରହିଛି କୁଆଁରମୁଣ୍ଡା ପୁଲିସ, ଏହା ବୀରମିତ୍ରପୁର ଥାନା ଅଧିନରେ । ଥାନାରେ ଜଣେ ମହିଳା ଅଧିକାରୀ, ପୁଣି ସେହି ଅଂଚଳ ଦାୟିତ୍ୱରେ ଜଣେ ମହିଳା ଡିଏସପି ଅଛନ୍ତି ,କିନ୍ତୁ ଖବର ସୋସିଆଲ ମିଡିଆରୁ ନେଇ ମିଡିଆରେ ପ୍ରସାର ସତ୍ୱେ ସେମାନେ ଏ ଖବର ପାଇଛନ୍ତି କି ନାହିଁ ତାହା ବୁଝା ପଡୁନାହିଁ । ନିକଟ ଅତିତରେ ସେହି ଅଂଚଳରେ ଖୋଦ ଥାନା ବାବୁଙ୍କ ଦ୍ୱାରା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଭଳି ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଥିଲା । ତେବେ ପୁଲିସ ଡିଜି ଖବର ପାଇ ଥାନା ଅଧିକାରୀଙ୍କୁ ବହିଷ୍କାର କରିବା ସହ ତାଙ୍କୁ ଗିରଫ ମଧ୍ୟ କରାଗଲା ।
ତେବେ ଆଜି ଅନୁରୂପ ଘଟଣା କ୍ରମେ କାରଖାନାର ଡାକ୍ତରଖାନାରେ କାମ କରୁଥିବା ପୀଡିତା ମହିଳାଙ୍କ ସହ ଏଭଳି ଅସଦାଚରଣ ହେଲା, ସେ କାରଖାନାର ମୁଖ୍ୟଙ୍କୁ ଏ ବାବଦରେ ଜଣାଇବା ସହ ସେ ଅଂଚଳର କିଛି ପରିଚିତ ନେତା ମଧ୍ୟ ଏନେଇ ମୁହଁ ଖୋଲିଲେ । କାରଖାନା ସ୍ତରରେ ସିନା ତଦନ୍ତ କରାଗଲା ହେଲେ,ଏଯାଏ ତଦନ୍ତର ରିପୋର୍ଟ କଣ ଆସିଲା ତାହା ବିରମିତ୍ରପୁର ଥାନା କିମ୍ବା ଏସପି ସୁନ୍ଦରଗଡଙ୍କୁ ଦିଆଗଲା ନାହିଁ । କାରଣ ନିୟମ ଅନୁଶାରେ ଜଣେ ପୀଡିତାଙ୍କର ଏଭଳି ସ୍ଥିତି ଜଦି କାରଖାନା ମୁଖ୍ୟ ଜାଣିଲେ, ତେବେ ଏନେଇ ସେ ପ୍ରଥମେ ଥାନାକୁ ଜଣାଇବା କଥା । ଯଦି ତାହା ନହେଲା ତେବେ କାରଖାନା ସ୍ତରରେ ତଦନ୍ତ କରି ରିପୋର୍ଟ ପୁଲିସକୁ ଦେବା କଥା, କିନ୍ତୁ କାରଖାନା ସ୍ତରରେ ସ୍ଥିତିକୁ ଏମିତି କରାଗଲା ଯେ, ଅଭିଯୁକ୍ତ ନିଜର ସୁରକ୍ଷା ନେଇ କାରଖାନାରୁ ବିଦାୟ ନେଲେ, ଆଇନ କେବଳ ଜଳକା ହୋଇ ରହିଗଲା ବୋଲି ଅଭିଯୋଗ ହେଉଛି । ଜଣେ ଅଦିବାସୀ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ କେବଳ ସେହି କାରଖାନା ଭିତରେ ରହିଗଲା । ଆଜି ଏନେଇ ସୋସିଆଲ ମିଡିଆରେ ଖବର ଆସିଲା ଯେ, ସଂପୃକ୍ତ ଅଧିକାରୀଙ୍କୁ ବହିଷ୍କାର କରାଗଲା, କିନ୍ତୁ କାରଖାନା ମୁଖ୍ୟ କହିଲେ ସେ ଇସ୍ତଫା ଦେଇଛନ୍ତି । ତେବେ କାରଖାନା ମୁଖ୍ୟ ପୁଲିସକୁ ଏନେଇ କେବେ ଜଣାଇଛନ୍ତି, ପୁଲସ ଏନେଇ କ’ଣ ପଦକ୍ଷେପ ନେଇଛି ସେ ନେଇ ପୁଲିସ ମୁଖ୍ୟ ଯାଂଚ କରିବାକୁ ଦାବି ହୋଇଛି ।