
କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ଆଉ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୩ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି ।
ତନ୍ମଧ୍ୟରେ ଫୁଲବାଣୀ ବ୍ଲକରୁ ୫ ଜଣ, ଜି. ଉଦୟଗିରି ବ୍ଲକରୁ ୨ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ଜଣେ, ଟିକାବାଲି ବ୍ଲକରୁ ଜଣେ, କୋଟଗଡ଼ ବ୍ଲକରୁ ଜଣେ, ତୁମୁଡ଼ିବନ୍ଧ ବ୍ଲକରୁ ଜଣେ, ବାଲିଗୁଡ଼ା ବ୍ଲକରୁ ୨ ଜଣ, ଫିରିଙ୍ଗିଆ ବ୍ଲକରୁ ଜଣେ, ଖଜୁରିପଡ଼ା ବ୍ଲକରୁ ଜଣେ ଏବଂ ଜିଲ୍ଲାରୁ ଅନ୍ୟ ଦୁଇ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୭୮୦ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୧୩ ରହିଥିବା ନେଇ ଜିଲ୍ଲାପାଳ ଡଃ. ବୃନ୍ଦା ଡି. ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସେହିପରି ଆଜି ଜିଲ୍ଲାରେ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ୫୮, ୪୩, ୪୨ ବର୍ଷ । ମୃତକ ମାନଙ୍କ ମଧ୍ୟରୁ ଜଣେ ଫୁଲବାଣୀ ଏଫସିଆଇ ଛକ ଅଂଚଳର ହୋଇଥିବା ବେଳେ ଆଉ ଜଣେ ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗୁର୍ବିନାଜୁ ଅଂଚଳର ଏବଂ ଅନ୍ୟ ଜଣେ ଦାରିଙ୍ଗବାଡ଼ି ଅଂଚଳର ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।