ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୮ କୁ ବୃଦ୍ଧି ପାଇଛି । ଗତ ୨୫ ଓ ୨୮ ତାରିଖରେ ଜିଲ୍ଲାରୁ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୯ଟି ରିପୋର୍ଟ ପଜିଟିଭ୍ ଆସିଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ ।
ନୂଆ ଚିହ୍ନଟ ଏହି ୯ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଜଣେ ନାବାଳିକା ରହିଛି । ସେମାନଙ୍କର ବୟସ ୧୫ ବର୍ଷରୁ ୬୫ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ଜଣେ, ଗୁମ୍ମା ବ୍ଲକରୁ ୩ ଜଣ, ଗୋଷାଣି ବ୍ଲକରୁ ଜଣେ, କାଶୀନଗର ବ୍ଲକରୁ ଜଣେ, ମୋହନା ବ୍ଲକରୁ ଜଣେ ଏବଂ ରାୟଗଡ଼ ବ୍ଲକରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ପ୍ରାଥମିକ ସ୍ତରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।
ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।