ନୂଆଦିଲ୍ଲୀ-କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ 2 ଦିନ ଧରି ଲଗାତାର 9 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 9,01,338 ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ 10 ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି ।
ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି 4 କୋଟିରେ ପହଞ୍ଚିଛି । ଆଜିସୁଦ୍ଧା ଏହି ସଂଖ୍ୟା 3,94,77,848ରେ ପହଞ୍ଚିଛି । କେବଳ ଗତ 2 ସପ୍ତାହ ମଧ୍ୟରେ 1 କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି । ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ 28,607 ଛୁଇଁଛି। ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।
ସୁଚିନ୍ତିତ କୋଭିଡ ପରିଚାଳନା ଯୋଗୁଁ ଦେଶରେ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ ହେବା ସହ ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 998 ସରକାରୀ ଓ 566ଟି ଘରୋଇ ଏହିପରି ମୋଟ 1564ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।