ବାରିପଦା– ବାରିପଦା ସହର ଉପକଣ୍ଠ ଗୁରୁ ଗରାମ ହଦ୍ହଦିଠାରେ ରବୀନ୍ଦ୍ର ନାଥ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆଦିବାସୀ ସମ୍ପ୍ରଦାୟର ବରିଷ୍ଠ ତଥା ସଚେତନ ନାଗରିକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତ ଭୂଖଣ୍ଡର ମୂଳବାସୀ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି । ସେମାନେ ନିଜର ଦେବତା ଭାବେ ପ୍ରକୃତକୁ ପୂଜା କରିଆସୁଛନ୍ତି । ପ୍ରକୃତିର କୌଣସି ରୂପ ନ ଥିବା ବେଳେ ସର ଦେବତାଙ୍କୁ ଆରାଧନା କରିବାକୁ କୌଣସି ମନ୍ଦିରର ଆବଶ୍ୟକ ହୋଇନଥାଏ । ଭାରତ ସ୍ୱାଧୀନ ହେବା ପୂର୍ବରୁ ପ୍ରଥମ ଜନଗଣନାରେ ଆଦିବାସୀମାନଙ୍କୁ ଅବ ଓରିଜିନ, ୧୮୮୧ରେ ଫରେଷ୍ଟ ଟ୍ରାଇବ, (ଜଙ୍ଗଲୀ ଜନ), ୧୮୯୧, ୧୯୦୧, ୧୯୧୧ ଜନଗଣନାରେ ଟ୍ରାଇବ ପ୍ରାକଟାଇଜିଂ ଏନିମିଜିମ୍, ୧୯୨୧ରେ ପାହାଡ଼ ଜଙ୍ଗଲରେ ରହୁଥିବା ଆଦିବାସୀ, ୧୯୩୧ରେ ଆଦିମ୍ ଜନ୍, ୧୯୪୧ରେ ଆଦିମ ମୂଳବାସୀ ବୋଲି ଉଲ୍ଲେଖ କରାଯାଇଥିବା ସମୟରେ ସ୍ୱାଧୀନତା ପ୍ରାପ୍ତି ପରେ ପ୍ରଥମ ଜନଗଣନା ୧୯୫୧ରୁ ୨୦୧୧ ଜନଗଣନା ପର୍ଯ୍ୟନ୍ତ ହୋଇଥିବା ୭ ଥରର ଜନଗଣନାରେ ଆଦିବାସୀମାନଙ୍କୁ ଅନୁସୂଚିତ ଜନଜାତି ଭାବେ ଉଲ୍ଲେଖ କରାଯାଇ ଆସିଛି । ବୈଠକରେ ବରିଷ୍ଠ ନାଗରିକମାନେ ହିନ୍ଦୁ ଧର୍ମର ମନୁବାଦୀ ଚର୍ତୁବର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ କୌଣସି ସମୟରେ ନ ଥିଲେ ଅଥବା ବର୍ତମାନ ମଧ୍ୟ ରହି ନାହାନ୍ତି ବୋଲି ମତପୋଷଣ କରିଥିଲେ । ଏଥି ସହିତ ଆଦିବାସୀ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ପରିବର୍ତେ ଅନୁସୂଚିତ ଜନ ଭାବେ ଉଲ୍ଲେଖ କରିବାରେ ଯଥାର୍ଥତା ରହିଛି । ସରକାରଙ୍କ ଦ୍ୱାରା ହେଉଥିବା ଜନଗଣନାରେ ଆଦିବାସୀମାନଙ୍କୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଆଦି ଧର୍ମାଲମ୍ବୀ ଗଣନା କରିବା ଫଳରେ ଆଦିବାସୀମାନଙ୍କୁ ପର୍ଯ୍ୟାୟ କ୍ରମେ ଲୋପ କରାଇବା ପାଇଁ ଉଦ୍ୟମ କରାଯାଉଥିବାର ବରିଷ୍ଠ ତଥା ସଚେତନ ନାଗରିକମାନେ ଅନୁଭବ କରିଛନ୍ତି । ତେଣୁ ୨୦୨୧ ଜନଗଣନାରେ ଆଦିବାସୀ ଖେରୱାଳ ମୂଳବାସୀମାନଙ୍କର ସ୍ୱତନ୍ତ୍ର ଧର୍ମ ସାରନା ବୋଲି ଉଲ୍ଲେଖ କରାଇବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ଏବଂ ଭାରତ ସରକାରଙ୍କ ନିକଟରେ ଏଥି ନିମନ୍ତେ ଦାବି ଉପସ୍ଥାପନ କରାଯିବାର ସ୍ଥିରିକୃତ ହୋଇଛି ।
ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ କିସ୍କୁ, ଚିନ୍ତୁ ସୋରେନ, ରଘୁନାଥ ମାଝି, ରବୀନ୍ଦ୍ର ନାଥ ସୋରେନ, ରବୀନ୍ଦ୍ର ନାଥ ମାର୍ଣ୍ଡି, ମାସାଂ ବାସ୍କେ, ମୁଚିରାମ ସୋରେନ, ସୁଧୀର ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ ।