
ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୪କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୯ ଜଣ, ବାଲିମେଳା ଏନଏସିରୁ ୪ ଜଣ, ମାଥିଲି ବ୍ଲକରୁ ୨ ଜଣ, ଖଇରପୁଟ ବ୍ଲକରୁ ଜଣେ, ମାଲକାନଗିରି ବ୍ଲକରୁ ଜଣେ, କୋରକୋଣ୍ଡା ବ୍ଲକରୁ ଜଣେ ଏବଂ କାଲିମେଳା ବ୍ଲକରୁ ୩ ଜଣ ରହିଛନ୍ତି । ତନ୍ମଧ୍ୟରେ ଦୁଇ ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଆଜି ଚିହ୍ନଟ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ୮ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୩ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୧୫୪୦ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୬୯୮ ରହିଛି ।
ସେହିପରି ଆଜି ଜିଲ୍ଲାରେ ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରହିଛନ୍ତି । ଉଭୟଙ୍କ ବୟସ ୫୫ ବର୍ଷ । ଏମାନେ ପୂର୍ବରୁ ଅନ୍ୟାରେ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।