ଭଦ୍ରକ– ଲଘୁଜନିତ ବନ୍ୟାରେ ଭଦ୍ରକ ଜିଲ୍ଲାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୮ଟା ପର ଠାରୁ ବୈତରଣୀ ନଦୀର ଜଳ ସ୍ତର ଆଖୁଆପଦା ଠାରେ ସର୍ବାଧିକ ୨୦.୦୪ ମିଟରରୁ ଖସିବା ଆରମ୍ଭ କରିଛି । ଶୁକ୍ରବାର ଦିନ ତମାମ ଜଳସ୍ତର ବିପଦ ସଂକେତ ୧୭.୮୩ ମିଟର ଉପରେ ପ୍ରବାହିତ ହେଉଥିଲା । ଶନିବାର ଦିନ ଏହା ଖସି ସଂନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଖସିବା ନେଇ ଅନୁମାନ କରାଯାଉଛି । ଏଥିଯୋଗୁଁ ବୈତରଣୀରେ ବଡ଼ ବନ୍ୟାର ଆଶଙ୍କା ଟଳିଛି । ଏହି ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ୍ ଯଥା ଭଦ୍ରକ, ଭଣ୍ଡାରୀପୋଖରୀ, ଧାମନଗର, ବାସୁଦେବପୁର, ବନ୍ତ, ଚାନ୍ଦବାଲି, ତିହିଡ଼ି ଓ ୪ଟି ପୌରାଚଂଳ ମଧ୍ୟରେ ଧାମନଗର, ଚାନ୍ଦବାଲି ଏନଏସି, ଭଦ୍ରକ ଓ ବାସୁଦେବପୁର ପୌରପାଳିକାର ୧୧୮ଟି ପଚାଂୟତର ୧ ଲକ୍ଷ ୫୬ ହଜାର ୧୧୩ ଜଣ ଲୋକ ପ୍ରଭାବିତ ହୋଇଛି । ୧୨୦ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପ୍ରଭାବିତ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯିବା ସହିତ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରିଲିଫ୍ ଯୋଗାଣ ହୋଇଛି । ଉଦ୍ଧାର କାର୍ଯ୍ୟରେ ଧାମନଗର ଓ ଭଣ୍ଡାରୀପୋଖରୀ ଅଗ୍ନିଶମ ବିଭାଗ କର୍ମଚାରୀ, ଭଣ୍ଡାରୀପୋଖରୀରେ ଏନଡିଆରଏଫ ଟିମ୍, ଧାମନଗରରେ ଓଡ଼୍ରାଫ୍ ଟିମ୍ ନିୟୋଜିତ ରହିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ମୋଟ୍ ୨୩ଟି ବୋଟ୍ ବ୍ୟବହାର ହେଉଛି ।
ଅନ୍ୟପକ୍ଷରେ ବନ୍ୟାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଟି ପଶୁ ସମ୍ପଦ ନିଧନ ହୋଇଛି । ପ୍ରାଥମିକ ଆକଳନରେ ୩୪ ହଜାର ୮୭୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ୧୪୫୪ଟି ଘର ଭାଙ୍ଗିଛି । ପ୍ରଶାସନ ପକ୍ଷରୁ ଅଦ୍ୟାବଧି ରିଲିଫ୍ ଆକାରରେ ୫୦ କ୍ୱିଂଟାଲ ଚୁଡ଼ା, ୫୦ କେଜି ଗୁଡ଼, ୫୦ କାର୍ଟୁନ୍ ବିସ୍କୁଟ୍ ଓ ୫୦ କାର୍ଟୁନ୍ ପାଣି ବୋତଲ ପ୍ରଦାନ କରାଯାଇଛି । ବନ୍ୟା ପ୍ରଭାବିତଙ୍କୁ ୧୦ଟି ମେଡ଼ିକାଲ ଟିମ୍ ରହି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବିଷୟ ଜିଲ୍ଲାପାଳ ଡଃ. ଜ୍ଞାନ ଦାଶ ସୂଚନା ଦେଇଛନ୍ତି ।