-
ରିଲିଫ ପାଇଁ ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା
ବାଲେଶ୍ୱର, ୨୮/୮: (କୃଷ୍ଣ କୁମାର ମହାନ୍ତି) କରୋନାର ମହବିପତ୍ତି ସମୟରେ ବାଲେଶ୍ଵରରେ ବନ୍ୟା ବିତ୍ପାତ ବେଡି ଉପରୋଡା ମାଡ ସଦୃଶ ହୋଇଛି। ଲଗାତାର ଲଘୁଚାପ ବର୍ଷା ଫଳରେ ବୁଢାବଳଙ୍ଗ ନଦୀରେ ବନ୍ୟା ଆସି ନଦୀପାଖ ଗାଁ ଓ ସହରତଳି ଅଞ୍ଚଳ ଜଳମଗ୍ନ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି ସମୟରେ ବିପଦର ବନ୍ଧୁ ଭାବରେ ଉଭା ହେଉଥିବା ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର ଜେନା ଗତକାଲି ଏବଂ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ନିଜେ ପରିଦର୍ଶନ କରିବା ସହ ଅସହାୟ ଓ ବିପନ୍ନଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି।
ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାର ତାଣ୍ଡବରେ ବାଲେଶ୍ୱର ଜିଲ୍ଲାର ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାର ଜଳସ୍ତର ବିପଦ ସଙ୍କେତ ଟପି ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ହଜାର ହଜାର ଲୋକ ଏବେ ବନ୍ୟା ଘେରରେ ରହିଛନ୍ତି। ଏହା ଛଡା ବାଲେଶ୍ୱରର ଅନେକ ଗାଁଗଣ୍ଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏପରି ସ୍ଥିତିରେ ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚି ଶ୍ରୀ ଜେନା କେବଳ ସାହାଭରସା ପାଲଟି ନାହାନ୍ତି, ବରଂ ମାନବିକତାର ପରିଚୟ ଦେଇଛନ୍ତି।
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଓ ପୈାରାଞ୍ଚଳର କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ଦିନ ବନ୍ୟା ବିପନ୍ନଙ୍କୁ ଭେଟିବା ପରେ ଏମାନଙ୍କୁ ସହାୟତା କରିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ବିପନ୍ନଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ କିପରି ପହଞ୍ଚି ପାରିବ ସେ ନେଇ ଶ୍ରୀ ଜେନା ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଆଜି ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଗୁରୁବାର ଅପରାହ୍ନରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜେନା ବାଲେଶ୍ୱର ସଦରର ଫୁଲାଡି, ବଇଁଞ୍ଚା ଓ ନିଧିପଣ୍ଡା ଆଦି ଅଞ୍ଚଳରେ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲେ । ପ୍ରତିବର୍ଷ ବର୍ଷାଋତୁରେ ଏହି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ଅଭାବନୀୟ ପରିବେଶ ସୃଷ୍ଟି କରୁଥିବା ବେଳେ ସ୍ଥାୟୀ ବ୍ୟବସ୍ଥା କରିବାକୁ ବନ୍ୟା ବିପନ୍ନ ମାନେ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ସେ ରାଜ୍ୟ ସରକାର ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।