-
ହୀରାକୁଦରେ ଖୋଲିଲା ୨୮ଟି ଗେଟ, ଆହୁରି ୮ଟି ଖୋଲିବ
ଭୁବନେଶ୍ୱର– ମହାନଦୀର ଉପର ମୁଣ୍ଡରେ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ମଧ୍ୟମରୁ ବଡ ଧରଣର ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି ବୋଲି କହିଛନ୍ତି ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଏହା ଦ୍ୱାରା କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଛି । ସେ କହିଛନ୍ତି ଯେ ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ହୋଇଛି । ଏବେ ଡ୍ୟାମର ୨୮ଟି ଗେଟ ଖୋଲାଯାଇଥିବାବେଳେ ମୋଟ ୩୬ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି ।
ଏବେ କଲମାରୁ ୫ ଲକ୍ଷ ଓ ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଛି । ଫଳରେ ଏବେ ହୀରାକୁଦକୁ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ବନ୍ଧର ସ୍ପିଲେୱ ଦ୍ୱାରା ମହାନଦୀକୁ ପଶୁଥିବା ଜଳ ପରିମାଣ ୫ ଲକ୍ଷ କ୍ୟୁସେକ ଟପିଯିବ । ଏହି ଜଳ ମୁଣ୍ଡୁଳିରେ ପହଂଚିବା ପରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ । ଏହାଫଳରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି ।