
-
ଜଗିବ ଗଞ୍ଜାମ ଆପ୍ ଓ ଡ୍ରୋନ୍ କ୍ୟାମେରା
-
ସରକାରଙ୍କ ଅନୁମୋଦନକୁ ଅପେକ୍ଷା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ୍ ଲାଗିବ । ଲଘୁ ଖଣିଜ ଦ୍ରବ୍ୟକୁ ଜଗିବ ଡ୍ରୋନ୍ କ୍ୟାମେରା ଓ ଗଞ୍ଜାମ ଆପ୍ । ଜିଲ୍ଲାର ୧୧୭ଟି ବାଲି ସୈରାତ ମଧ୍ୟରେ ୭୮ଟି ନିଲାମ ହୋଇଛି । ତେବେ ନିଲାମ୍ ହୋଇଥିବା ପରିମାଣରୁ କାହିଁ କେତେ ପରିମାଣ ବାଲି ଚାଲାଣ ହେଉଥିବା ଅନୁମାନ କରାଯାଇଛି । ବିଭିନ୍ନ ସମୟରେ ତହସିଲଦାର ଓ ରାଜସ୍ୱ ବିଭାଗ କର୍ମଚାରୀ ବାଲି ବୋଝେଇ ଟ୍ରକ୍, ଟ୍ରାକ୍ଟର ଜବତ କରି ଜୋରିମାନା ଆଦାୟ କରୁଛନ୍ତି । କିନ୍ତୁ ଏହା କମିବାର ନାଁ ଧରୁନାହିଁ । ତେବେ ବାଲି ଚାଲାଣ ରୋକିବାକୁ ଜିଲ୍ଲାପାଳ ଅଧିକାଂଶ ରାଜସ୍ୱ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ଚଢ଼ାଉ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନଥିବା ଅନୁମାନ କରାଯାଉଛି । କୋଟି କୋଟି ରାଜସ୍ୱ କ୍ଷତି ହେବାରେ ଲାଗିଛି । ବାଲି ସୈରାତ୍ ଅଞ୍ଚଳରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଗଞ୍ଜାମ ଆପ୍ର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ତାହା ଅନୁମୋଦନ ହେବାପରେ ଲାଗୁ ହେବ ବୋଲି ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ସୂଚନା ଦେଇଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ବାଲି, ପଥର, ମୋରମ୍ ଚାଲାଣ ରୋକିବା ପାଇଁ ତହସିଲ ଅଧିନରେ ସୈରତ ଗୁଡିକରେ ସିସିଟିଭି ଲଗାଇବାକୁ ଜିଲ୍ଲାପାଳ ରାଜସ୍ୱ ସମୀକ୍ଷା ବୈଠକରେ କହିଥିଲେ । ଏପରିକି ସୈରତ ଗୁଡିକର ଭିଡିଓ ରେକଡିଂ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୈନିକ କେତେ ପରିମାଣ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି ତାହା ଭିଡିଓ ରେକଡିଂରୁ ଜଣାପଡିବ ବୋଲି ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ତେବେ ଲିଜ୍ଧାରୀ ଚୁକ୍ତିନାମା କରିଥିଲେ ତହସିଲଦାରମାନେ ଆକଳନ କରିବେ । ଏହାସହିତ ଚୋରା ଚାଲାଣ ରୋକିବା ପାଇଁ ଗଞ୍ଜାମ ଆପ୍ ନାମରେ ଏକ ନୂତନ ସଫ୍ଟୱେର୍ ପ୍ରସ୍ତୁତ କରିଥିଲେ ଜିଲ୍ଲାପାଳ । ଏହି ସଫ୍ଟୱେର ଜରିଆରେ ସୈରତରୁ ଖଣିଜ ଦ୍ରବ୍ୟ କେଉଁ ଗାଡିରେ କେଉଁ ଅଞ୍ଚଳକୁ ଯାଉଛି ଏବଂ କେତେ ପରିମାଣରେ ଯାଉଛି ତାହା ତହସିଲଦାରମାନେ ଯେଉଁଠି ଥିଲେ ମଧ୍ୟ ଜାଣିପାରିବେ । ତତ୍ସଙ୍ଗେ ସଙ୍ଗେ ଏହି ଗଞ୍ଜାମ ଆପ୍ ଦ୍ୱାରା ଗାଡି ନମ୍ବର ମଧ୍ୟ ଜାଣିହେବ । ଚୋରା ଚାଲାଣ ରୋକା ଯାଇପାରିବ ବୋଲି ଜିଲ୍ଲାପାଳ ରାଜସ୍ୱ ବୈଠକରେ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ତହସିଲ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀତା ସମ୍ପର୍କରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରେ କହିଲେ ଯେ, ଏହା କେଉଁଠି ହେଲେ କାର୍ଯ୍ୟକାରୀ ହୋଇନାହିଁ । ସୈରତ ଅଞ୍ଚଳରେ ସିସିଟିଭି ଲଗାଇବାକୁ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ସିସିଟିଭି ସୁରକ୍ଷା ଆଉ ଏକ ପ୍ରଶ୍ନ ।