ଘଟଗାଁ, ସରକାର ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷଣାବେକ୍ଷଣ ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ଜଙ୍ଗଲ ବିଭାଗର ଅବହେଳା କାରଣରୁ କେଉଁଠାରେ କାର୍ଯ୍ୟର ସଠିକ୍ ତଦାରଖ୍ ହୋଇ ପାରୁନାହିଁ, ଫଳରେ ଜଙ୍ଗଲ ବିଭାଗରେ ମାସ ମାସର କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକ ନିଜର ପାରିଶ୍ରମିକ ବର୍ଷ ବର୍ଷ ଧରି ପାଇପାରୁନାହାଁନ୍ତି । ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଦେଉବନ୍ଧ ବନବିଭାଗରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଏହି ବିଭାଗ ଅନ୍ତର୍ଗତ ବାରବାଙ୍କ ରିଜର୍ଭ ଫରେଷ୍ଟରେ ୫୦୧ହେକ୍ଟର ଜଙ୍ଗଲ ଜମିରେ ଗାତଖୋଳା, ସଫେଇ ଓ ପଥର ବନ୍ଧ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିବା ବାରହାଟିପୁରା, କୁଆଝରଣ, ଆଡକଟା ଓ କାଳିମାଟି ଗ୍ରାମର ଶତାଧିକ ଶ୍ରମିକ କାର୍ଯ୍ୟ କରିଥିଲେ । ହେଲେ ସେମାନେ କାର୍ଯ୍ୟ କରିଥିବା ୨୨ଦିନର ପାରିଶ୍ରମିକର ପ୍ରାପ୍ୟ ୮ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକମାନେ ନିଜ ହକକୁ ଆଖି ଆଗରେ ରଖି କେନ୍ଦୁଝର ଡିଏଫଓଙ୍କ ନିକଟରେ ବାରମ୍ବାର ଲିଖିତ ଓ ମୋୖଖିକ ଅଭିଯୋଗ କରିଥିଲେ । ହେଲେ ଡିଏଫ୍ଓ ତଦନ୍ତର ଆଳଦେଖାଇ ଦିନ ପରେ ଦିନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଦିନ ଗଡାଇଚାଲିଛନ୍ତି । ଏହି କିଛି ଦିନ ପୂର୍ବେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲେ ମଧ୍ୟ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଥିବା ଶ୍ରମିକମାନେ କହିଛନ୍ତି । ଏଥିସହ ସେମାନଙ୍କ ୨୨ଦିନ ପାରିଶ୍ରମିକର ପ୍ରାପ୍ୟ ଦେବାଛାଡି ବାରମ୍ବାର ଶ୍ରମିକଙ୍କୁ ବନ ସଂରକ୍ଷଣ ସମିତି କେନ୍ଦ୍ରକୁ ଡାକି ସମୟ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଖୁବଶୀଘ୍ର ସଠିକ୍ ତଦନ୍ତ କରାଇ ସେମାନଙ୍କ ପାରିଶ୍ରମିକର ପ୍ରାପ୍ୟ ଯୋଗାଇ ଦେବାକୁ ଶ୍ରମିକଙ୍କ ଦାବି ।
Related Stories
November 27, 2024
November 27, 2024