ବେଲଗୁଣ୍ଠI,25/08, ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ I ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 275 ଟଙ୍କା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି I ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି I ବର୍ତ୍ତମାନ ସରକାର ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି I କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନଥିବାରୁ ସାର ଗାଡ଼ି ଶହ ଶହ ଚାଷୀ ସାମାଜିକ ଦୂରତାକୁ ଫୁ କରି ଏକତ୍ରିତ ହୋଇ ସାର ନେବା ପାଇଁ ଲଢ଼େଇ କରୁଛନ୍ତି I ଯାହା ଦ୍ଵାରା କୋଭିଡ-19 ନିୟମକୁ ଉଲ୍ଲଂଘନ କରିବା ସହ ନିଜକୁ ବିପଦ ମୁଖକୁ ଟାଣି ନେଉଛନ୍ତି I ଯାହାର ଉଦାହରଣ ଦେଖିବାକୁ ମିଳିଛି ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଞ୍ଚାୟତରେ I ଆଜି ବଡ଼ ବୋର୍ସିଂ ସେବା ସମବାୟ ସମିତି ଦ୍ଵାରା ସାର ଯୋଗାଇ ଦିଆଯାଉଥିବା ପ୍ରଚାରିତ ହେବା ପରେ ପାଖାପାଖି ହଜାରେ ଚାଷୀ ସାର ନେବା ପାଇଁ ଏକତ୍ରିତ ହୋଇଥିଲେ I ଧୀରେ ଧୀରେ ସାର ଦେଉଥିବା ସମୟରେ ବିଶୃଙ୍ଖଳା ବଢିବାରୁ ସମିତିର ସମ୍ପାଦକ ବେଣୁ ଗୋପାଳ ଭୁୟାଁ ସାର ଦେବା ବନ୍ଦ କରି ପୋଲିସ୍ ର ହସ୍ତକ୍ଷେପ ଲୋଡିଥିଲେ I ପରେ ପୋଲିସ୍ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା I ପର୍ଯ୍ୟାପ୍ତ ପରିମାଣର ସାର ଆସୁନଥିବାରୁ ସୋସାଇଟରୁ ଯେଉଁ ମାନେ କୃଷି ଋଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଯୋଗାଇ ଦିଆଯାଇଥିଲା I ସୋସାଇଟରୁ ଋଣ ନେଇ ନଥିବା ଚାଷୀ ମାନେ ସାର ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା I ସେହିପରି ଗୋବରା ସେବା ସମବାୟ ସମିତିରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା I ଗୋବରା ସେବା ସମବାୟ ସମିତି ଅଧିନରେ ଗୋବରା ଏବଂ ବେଣୀପଲ୍ଲୀ ଦୁଇଟି ପଞ୍ଚାୟତ ଆସୁଥିବାରୁ ପଞ୍ଚାୟତ ଦୁଇଟି ପାଇଁ 850 ବସ୍ତା ସାର ଆବଶ୍ୟକ ଥିବା ବେଳେ ମାତ୍ର 200 ବସ୍ତା ସାର ଆସିଥିଲା, ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା I ଏଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି I ଏ ଦିଗରେ ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଅଞ୍ଚଳରେ ଅଲୋଚନା ହେଉଛି I
Related Stories
November 22, 2024