
ମାଲକାନଗିରି -ସ୍ବାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସମାଜ ସର୍ବଦା ଅତୁଳନୀୟ ଦେଶଭକ୍ତିର ପରିଚୟ ଦେଇଛି। ଦେଶମାତୃକାକୁ ସ୍ବାଧୀନ କରିବା ଲାଗି ଇଂରେଜଙ୍କ ଅକଥନୀୟ ଦଣ୍ଡକୁ ଡରି ନଯାଇ ଦୃଢତାର ସହ ସାମ୍ନା କରିଛି । ଆଉ ଦେଶର କୋଟି କୋଟି ଜନତା ଏବଂ ମାତୃଭୂମିକୁ ସ୍ବାଧୀନ କରିବାକୁ ବିଦ୍ରୋହର ବହ୍ନିରେ ନିଜ ଜୀବନ ଜଳାଞ୍ଜଳି ଦେଇଛନ୍ତି । ଓଡିଶା ଆଦିବାସୀ ମାଟିର ଏମିତି ଜଣେ ବୀରପୁତ୍ର ହେଲେ ଲକ୍ଷ୍ମଣ ନାୟକ । କିନ୍ତୁ ଦୁଃଖର ବିଷୟ ଯେ ଯେଉଁ ମାଟି ପାଇଁ ସେ ଫାଶୀ ଖୁଣ୍ଟରେ ଝୁଲିଥିଲେ ସେହି ମାଟି ଆଜି ବି ସରକାରୀ ସୁବିଧାରୁ ବଞ୍ଚିତ । ନା ଗ୍ରାମରେ ଅଛି ଭଲ ରାସ୍ତା ନା ମୋବାଇଲ ସେବା । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ତେନ୍ତୁଳିଗୁମ୍ମା ଗ୍ରାମବାସୀଙ୍କୁ ଜରୁରୀ କାମରେ ବୈପାରିଗୁଡା ଯିବା ପାଇଁ ମାଲକାନଗିରିର ଗୋବିନ୍ଦପାଲ୍ଲୀ ଦେଇ ଦୀର୍ଘ ୭୦ କିଲୋମିଟର ଅତିକ୍ରାନ୍ତ କରିବାକୁ ପଡୁଛି । ସେହିପରି ତେନ୍ତୁଳିଗୁମ୍ମାରୁ ଦଣ୍ଡାବାଡ଼ି ଦେଇ ବୈପାରିଗୁଡା ଗଲେ ମାତ୍ର ୯ କିଲୋମିଟର ରାସ୍ତା ହେଲେ ମଝିରେ କୋଲାବ ନଦୀ ଓ ପାହାଡ ପଡ଼ୁଥିବାରୁ ଯିବା ଆସିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀ କୁହନ୍ତି । କେବଳ ସେତିକି ନୁହେଁ, ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି କୋଲାବ ନଦୀ ଉପରେ ଛୋଟିଆ ପୋଲଟି ବି ତିଆରି କରିପାରିନି ଜିଲ୍ଲା ପ୍ରଶାସନ । ମୌଳିକ ସୁବିଧାରୁ ବଞ୍ଚିତ ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ନକହିବା ଭଲ । ପଞ୍ଚାୟତରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଆଶ୍ରମ ସ୍କୁଲ ରହିଥିବା ବେଳେ ସପ୍ତମ ପରେ ମାଲକାନଗିରି ଜିଲ୍ଲା ଉପରେ ନିର୍ଭର ତେନ୍ତୁଳିଗୁମ୍ମାର ପିଲାମାନେ । ସେପଟେ ଜରୁରୀକାଳୀନ ସୁବିଧା କିଛି ନଥିବାରୁ ନାନାଦି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେନ୍ତୁଳିଗୁମ୍ମା ପଞ୍ଚାୟତର ଲୋକେ । ଗୋଟିଏ ପଟେ ଶହୀଦଙ୍କ ନାଁରେ ସରକାର ନାନା ପ୍ରକାର ଡିଣ୍ଡିମ ପିଟୁଥିବା ବେଳେ ତାହା କେବଳ ଫଳକରେ ଅଟକିଛି । ଖାଲି ସେତିକି ନୁହେଁ ତାଙ୍କ ଜନ୍ମଦିବସ ଓ ଶହୀଦ ଦିବସରେ ପ୍ରଶାସନିକ ଅଧିକାରୀ ପୁଳା ପୁଳା ପ୍ରତିଶ୍ରୁତି ଦେଇ ପରେ ଭୁଲିଯାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ଉତ୍ତରାଧିକାରୀ । ନିଜ ମାଟି ଓ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ସ୍ବପ୍ନ ଦେଖିଥିବା ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ବପ୍ନ ପୂରା ହେବ ନା ସେମିତି ଅବହେଳିତ ହୋଇ ରହିବ !