-
୨୦୨୨ ସୁଦ୍ଧା ସବୁ ଗରିବ ପରିବାର ପାଇଁ ଘର ଯୋଗାଇଦେବା ମୋଦି ସରକାରଙ୍କ ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ” । ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ ମାଗଦର୍ଶକ ଭାବେ ଗ୍ରହଣ କରି ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ୨୦୨୨ ସୁଦ୍ଧା ସମସ୍ତ ଗରିବ ପରିବାର ପାଇଁ ଘର ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ ଗରିବଙ୍କ ଜୀବନରେ ପରିବର୍ତନ ଆଣିବା ସହ ସେମାନଙ୍କୁ ଖୁସି ଦେଇଛି । ବିଶେଷ ଭାବରେ ରାଜ୍ୟର ଅସହାୟଙ୍କ ପାଇଁ ସୁଲଭ ଘର ନିର୍ମାଣ ବାସ୍ତବରେ ପରିଣତ ହୋଇଛି ଏବଂ ଓଡ଼ିଶାର ଗ୍ରାମାଂଚଳରେ ବ୍ୟାପକ ପରିବର୍ତନର ଛବି ହେଉଛି ଏହାର ପ୍ରମାଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର କେବଳ ଲୋକଙ୍କ ସ୍ୱପ୍ନକୁ ପୂରଣ କରିନାହିଁ ବରଂ ଏହା ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାସ ସିଲିଣ୍ଡର, ଘରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଭଳି ଅନେକ ଜନକଲ୍ୟାଣ ପଦକ୍ଷେପକୁ ସୁନିଶ୍ଚିତ କରୁଛି । ସ୍ୱଚ୍ଛ ଭାରତ ଅଧୀନରେ ଓଡ଼ିଶାରେ ୭୭.୧୪ ଲକ୍ଷ ଘର ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଓଡ଼ିଶାର ସମସ୍ତ ୧୧୪ ପୌର ସଂସ୍ଥାକୁ ଖୋଲା ମଳତ୍ୟାଗ ମୁକ୍ତ ସହର (ଓଡ଼ିଏଫ) ରୂପେ ଘୋଷଣା କରାଯିବା ଆନନ୍ଦର ବିଷୟ ।
ଶ୍ରୀ ପ୍ରଧାନ କହିଛନ୍ତି ବିଶେଷତଃ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳିରେ ଉନ୍ନତି ଆଣବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୩୪୨.୮୨ କୋଟିର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇ ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରାଯିବା ସହ ଅମୃତ ଯୋଜନା ଅଧୀନରେ ସହରାଂଚଳର ପୁନଃଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୧୯-୨୦ ଆର୍ôଥକ ବର୍ଷରେ ୧ ଲକ୍ଷରୁ କମ୍ ବାସ କରୁଥିବା ସହର ପାଇଁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିସ୍ୱରୂପ ୨୭୧.୭୫ କୋଟିର ଲାଭ ଓଡ଼ିଶା ପାଇଛି । ୨୦୧୯-୨୦ ଆର୍ôଥକ ବର୍ଷ ପାଇଁ ସ୍ମାର୍ଟ ସିଟି ମିଶନ ଅଧୀନରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ପାଇଁ ୨୦୩.୯୩ କୋଟି ମଞ୍ଜୁର କରିଛି ।
ଭୁବନେଶ୍ୱର ଏବଂ ରାଉରକେଲାକୁ ସ୍ମାର୍ଟ ସହର ଭାବେ ବିକଶିତ କରାଯିବା ; ରାଜ୍ୟର ସମଗ୍ର ଭିତିଭୂମି ଏବଂ ସଂଯୋଗକୁ ତ୍ୱରାନ୍ୱିତ କରୁଛି । ପାରାଦୀପକୁ ସ୍ମାର୍ଟ ବନ୍ଦର ସହର ଭାବରେ ବିକଶିତ କରାଯିବା ମୋଦି ସରକାରଙ୍କ ଓଡ଼ିଶାକୁ ଭବିଷ୍ୟତ ପାଇଁ ଉପଯୁକ୍ତ ଏବଂ ବିକଶିତ ରାଜ୍ୟ ଭାବେ ଗଢ଼ିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।