ଗଞ୍ଜାମ– ବ୍ରହ୍ମପୁର ସହରକୁ ଆଜିଠୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଚଂଳର ଅଧିବାସୀ ଓ ବାହାର ଜିଲ୍ଲାରୁ ଆସୁଥିବା ଲୋକ । ସେହିପରି ବ୍ରହ୍ମପୁର ସହରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ଯାତାୟାତ କରିପାରିବେ । ପୂର୍ବରୁ ସିଲ୍ କରି ରଖାଯାଇଥିବା ସମସ୍ତ ପ୍ରବେଶ ପଥକୁ କଟକଣା ମୁକ୍ତ କରାଯାଇଛି ।
ଆଜି ଠାରୁ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ଦୋକାନ ବଜାର ଖୋଲା ରହିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ଚକ୍ରବର୍ତି ରାଠୋର ସିଂ ସାହେବ । ଏତଦ୍ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସହର ଓ ଗ୍ରାମାଚଂଳରେ ଆଜି ଠାରୁ ସକାଳ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କିନ୍ତୁ ଜନସାଧାରଣ ମୁହଁରେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ନିର୍ଦ୍ଧାରିତ କରିଥିବା ୫ ସୂତ୍ରୀ ନିୟମକୁ ଦୋକାନୀ ଓ ବ୍ୟବସାୟୀ ମାନେ ଅନୁପାଳନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଶନିବାର, ରବିବାର ସପ୍ତାହନ୍ତ ସଟ୍ ଡାଉନ୍ ଜିଲ୍ଲାରେ ବଳବତର ରହିବ ବୋଲି ସୂଚନା ମିଳିଛି । ଜିଲ୍ଲାରେ ଆଜି ଠାରୁ ପୂର୍ବଭଳି କୋର୍ଟ କଚେରୀ କାର୍ଯ୍ୟ କରିବ ବୋଲି ଜିଲ୍ଲା ସେସନ୍ସ ଜଜ୍ କୋର୍ଟ ସୂଚନା ଦେଇଛନ୍ତି ।
କରୋନା ମହାମାରୀର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ଏବଂ ସଂକ୍ରମଣକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ମାସେ ପୂର୍ବେ ଜିଲ୍ଲାକୁ ଚର୍ତୁଦିଗରୁ ସିଲ୍ କରାଯାଇଥିଲା । ଜିଲ୍ଲାକୁ ବାହାର ଜିଲ୍ଲାବାସୀଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା । ଏଥିସହ ବ୍ରହ୍ମପୁର ସହରକୁ ଜିଲ୍ଲାର ଗ୍ରାମାଚଂଳ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରୀ କରାଯାଇଥିଲା । ତେବେ ଇତିମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ଆଜି ଠାରୁ ଏହି କଟକଣା ପ୍ରତ୍ୟାହାର କରାଯାଇଛି ।