ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାଶପୁର ଗ୍ରାମରେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣ ଘଟଣାରେ ୮ଟି ଗାଡି ପୋଡ଼ି ଘଟଣାରେ ହିଞ୍ଜିଳି ପୋଲିସ ଗତକାଲି ଠାରୁ ୧୦ ଜଣଙ୍କୁ ଅଟକ ରଖିଥିଲା । ଏହାର ପ୍ରତିବାଦ କରି ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଲୋକ ଆଜି ସକାଳୁ ଥାନା ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିବା ସହ ଥାନା ଘେରାଉ କରିଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ସେଠାରୁ ଘଉଡ଼ାଇବା ପାଇଁ ମୃଦୁ ଲାଠିଚାଳନା କରିଥିଲା । ଫଳରେ ଆନ୍ଦୋଳନକାରୀ ମାନେ ମଧ୍ୟ ପୋଲିସ ଉପରକୁ ଢ଼େଲା ପଥର ଫିଙ୍ଗିଥିଲେ । ଏହା ପରେ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ପୋଲିସ ଏବଂ ପାତ୍ରପୁର ଥାନା ପୋଲିସ ସହ ସଶସ୍ତ୍ର ପୋଲିସ ବାହିନୀ ଘଟଣାସ୍ଥଳରେ ପହଂଚି ଲାଠିଚାଳନା କରିବା ପରେ ଆନ୍ଦୋଳନକାରୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ବର୍ତମାନ ହିଞ୍ଜିଳି ତହସିଲଦାର କୋଳିଦାଶପୁରର କିଛି ଭଦ୍ର ବ୍ୟକ୍ତିଙ୍କୁ ଡାକି ଘଟଣାର ସମାଧାନ ପାଇଁ ଉଦ୍ୟମ ଜାରୀ ରଖିଥିବା ସୂଚନା ମିଳିଛି । ତେବେ ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ ଗ୍ରାମରୁ ବହୁ ସଂଖ୍ୟାରେ ମହିଳା ଥାନାକୁ ଆସି ପ୍ରତିବାଦ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।
Related Stories
January 22, 2025