ମାଲକାନଗିରି– ଲଘୁଚାପ ପ୍ରଭାବରେ ପ୍ରାୟ ୧୦ ଦିନ ଧରି ବର୍ଷା ହେବାରୁ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ବନ୍ୟାରେ ଏହି ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବା ବେଳେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଯାଇଛି । ଘର ଭାଙ୍ଗିଯିବା ପରେ ଏହି ସମସ୍ତ ପରିବାର ବେସାହାରା ହୋଇ ପଡିଛନ୍ତି । ଗତକାଲି ଠାରୁ ବର୍ଷା କମିବା ପରେ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି । କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଗତ କିଛି ଦିନ ତଳେ ବନ୍ୟାରେ ଘର ଓ ଫସଲ ନଷ୍ଟ ହୋଇଥିବା ବେଳେ ପୁଣି ଥରେ ଲଘୁଚାପ ପ୍ରଭାବରେ ବର୍ଷା ହେଲେ ଆଉ ଏକ ବନ୍ୟା ଆସି ଜୀବନ ଜୀବିକା ସମ୍ପୂର୍ଣ୍ଣ ପ୍ରଭାବିତ ହେବା ନେଇ ଲୋକେ ଆଶଙ୍କାରେ ରହିଛନ୍ତି । ବିଶେଷ କରି ଲଗାଣ ବର୍ଷାରେ ପଡିଆ ବ୍ଳକର ଉଭୟ ପାର୍ଶ୍ବରେ ବୋହୁଥିବା ପୋଟେରୁ ଓ ଶାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀ କୂଳିଆ ଗ୍ରାମ ସମେତ ହଜାର ହଜାର ଏକର ଜମି ଜଳମଗ୍ନ ହୋଇ ରହିଛି । ଗତକାଲି ଠାରୁ ବର୍ଷା ଓ ନଦୀର ଜଳସ୍ତର କମିବା ପରେ ପ୍ରଥମ ଦିନରେ କୃଷି ବିଭାଗ ପକ୍ଷରୁ କରାଯାଇଥିବା ରିପୋର୍ଟ ଅନୁଯାୟୀ, ପଡିଆ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ୧୦ ଟି ପଞ୍ଚାୟତର ୮୦ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ପଡିଆ କୃଷି ଅଧିକାରୀ ରଶ୍ମିରଞ୍ଜନ ମହାରଣା କହିଛନ୍ତି । ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସର୍ଭେ କାମ ସରିଲେ ଏହି ଆକଳନ ବଢ଼ିବାର ସମ୍ଭାବନା ରହିଥିବା ମଧ୍ୟ ଶ୍ରୀ ମହାରଣା ସୂଚନା ଦେଇଛନ୍ତି । ଚଳିତ ବର୍ଷ ପଡିଆ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଅଞ୍ଚଳରେ ଥିବା ୨୧ ହଜାର ୫ ଶହ ୩୨ ହେକ୍ଟର ଜମିରୁ ୧୧ ହଜାର ୩ ଶହ ୨୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ତେବେ ଏଭଳି ବନ୍ୟା ସ୍ଥିତି ଯୋଗୁଁ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ସୋୟାମ ଗଙ୍ଗା, ସୋୟାମ ପଦିଆ, ଜଗା କାମରାମଙ୍କ ସମେତ ୩୦ରୁ ଊର୍ଦ୍ଧ୍ଵ ଚାଷୀ କହିଛନ୍ତି । ବନ୍ୟାରେ ଫସଲ ନଷ୍ଟ ହୋଇଥିବାରୁ ଏହାର ଭରଣା କିଭଳି ହେବ ସେନେଇ ଚାଷୀ ଚିନ୍ତାରେ ପଡ଼ିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଫସଲ କ୍ଷୟକ୍ଷତିର ଭରଣା ମଳିଥାଏ । କିନ୍ତୁ ପଡିଆ ବ୍ଲକର ୪ ହଜାର ୭ ଶହ ୩୬ ଚାଷୀଙ୍କ ମଧ୍ୟରୁ ମାତ୍ର ୨୪ ଜଣ ଏହି ଯୋଜନାରେ ସାମିଲ୍ ଥିବା ଜଣାପଡ଼ିଛି । ଏହି ଯୋଜନାରେ ସାମିଲ୍ ହେବାକୁ ଚାଷୀ ଇଚ୍ଛୁକ ନ ଥିବା କୃଷି ଅଧିକାରୀ ଶ୍ରୀ ମହାରଣା କହିଛନ୍ତି । ଏଭଳି ପରିସ୍ଥିତିରେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।
ଅନ୍ୟପଟେ ଲଗାଣ ବର୍ଷାରେ ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ବାଟେନବାଡ଼ା ଗ୍ରାମର ରାଜା ମାଡକାମି, ନିଲିଗୁଡା ପଞ୍ଚାୟତର ମୁରଲୀ ଧର ବାନଜାମି, ଜଗା କାରାମୀ ଓ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି-୫୮ ଗ୍ରାମର ମମତା ମଣ୍ଡଳଙ୍କ ସମେତ ପ୍ରାୟ ୭୦ରୁ ଅଧିକ ଜଣଙ୍କ ଘର ଭାଙ୍ଗିଥିବା ନେଇ ରିପୋର୍ଟ ମିଳିଥିବା ବେଳେ ସର୍ଭେ ଚାଲିଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର ସୂଚନା ଦେଇଛନ୍ତି।