
ସମ୍ବଲପୁର– ନୂଆଁଖାଇ ଅବସରରେ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଆଜିର ଦିନରେ ପ୍ରମୁଖ ଦେବୀ ପୀଠ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି । ଆଜି ପୂର୍ବାହ୍ନ ୯ଟା ୧୫ ରୁ ୯ଟା ୨୫ ମିନିଟ୍ ଧାର୍ଯ୍ୟ ଲଗ୍ନ ଅନୁସାରେ ମାଙ୍କ ନିକଟରେ ସମସ୍ତ ରୀତିନୀତି ମୁତାବକ ପୂଜାର୍ଚ୍ଚନା ସାଙ୍ଗକୁ ନବାନ୍ନ ଲାଗି କରିଥିଲେ ପୂଜକ । ପୂଜକ ମାନେ ମାଙ୍କୁ ନବ ବସ୍ତ୍ର ଓ ପୁଷ୍ପରେ ସଜ୍ଜିତ କରିଥିଲେ । ଧୂପ ଦୀପ ନୈବେଦ୍ୟ ଅର୍ପଣ କରିଥିଲେ । ପରେ ସମଲେଶ୍ୱରୀଙ୍କ ସମେତ ୧୦୮ ପାଶ୍ୱର୍ଦେବାଦେବୀଙ୍କୁ ନବାନ୍ନ ଲାଗି କରିଥିଲେ ।
ତେବେ ପ୍ରଶାସନର କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରକୁ ସାଧାରଣ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । କୋଭିଡ଼୍ ନିୟମ ମାନି ମନ୍ଦିର ପରିଚାଳନା ଟ୍ରଷ୍ଟ ଏହି ନିଷ୍ପତି ଗ୍ରହଣ କରିଛି । କେବଳ ସେବାୟତ ନୂଆଁଖାଇରେ ମନ୍ଦିରରେ ନବାନ୍ନ ଲାଗି କରିଛନ୍ତି । ବିକଳ୍ପ ବ୍ୟବସ୍ଥା ସ୍ୱରୂପ ସାମାଜିକ ଗଣମାଧ୍ୟମରେ ଏହାର ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା ।