ଅନୁଗୋଳ– ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ରଞ୍ଜନ ବାରିକ । ଅଭିଯୁକ୍ତ ସାନଭାଇର ନାମ ନିରଞ୍ଜନ ବାରିକ । ପ୍ରାଥମିକ ତଦନ୍ତରୁ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ସିପୁର ଗ୍ରାମର ଦୁଃଖା ବାରିକଙ୍କ ପୁଅ ରଞ୍ଜନ ଓ ନିରଞ୍ଜନ ଏକ ସେଲୁନ୍ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଦୋକାନରୁ ହେଉଥିବା ଆୟକୁ ନେଇ ଗତକାଲି ସଂନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତ୍ରିଭୋଜନ ପରେ ପରିବାରର ସମସ୍ତେ ଶୋଇଯାଇଥିଲେ । ତେବେ କ୍ରୋଧ ଜର୍ଜରିତ ସାନ ଭାଇ ନିରଞ୍ଜନ ବିଳମ୍ବିତ ରାତିରେ ଏକ ଟାଙ୍ଗିଆରେ ବଡ଼ଭାଇ ରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ରଞ୍ଜନଙ୍କ କାନରେ ଗଭୀର ଆଘାତ ଲାଗିବାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ଅଭିଯୁକ୍ତ ନିରଞ୍ଜନ ସେଠାରୁ ଫେରାର୍ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଅଭିଯୁକ୍ତ ନିରଞ୍ଜନକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ପ୍ରାଥମିକ ତଦନ୍ତରୁ ସେଲୁନ୍ ରୁ ଆୟ ଅର୍ଥକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା । ଏବଂ ଯାହାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।