-
ଟ୍ରାକ୍ଟର, ଜେସିବି, ଟ୍ରିପ୍ପର ପୋଡିଦେଲେ ଲୋକେ
ବ୍ରହ୍ମପୁର : ପୁରୁଷୋତ୍ତମପୁର ବ୍ଲକ୍ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁ କୋଳିଦାସପୁର କୁଳଘାଇ ହୁଡାରେ ଘଟିଛି ତୁମୁଳକାଣ୍ଡ । ସ୍ଥାନୀୟ ଅଞ୍ଚଳରେ ବିନା ଲିଜ୍ରେ ବେଆଇନ୍ ବାଲି ଉଠାଣ ଦୀର୍ଘଦିନ ଧରି ଅଞ୍ଚଳରେ ବାଲି ଚୋରା ଚାଲାଣ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । କିନ୍ତୁ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ସମୟ ନାହିଁ । ଯାହା ଫଳରେ କିଛି ବ୍ୟକ୍ତି ଆଇନ୍କୁ ହାତକୁ ନେଇଥିବା ସୂଚନା ମିଳିଛି । ଗତ ମଧ୍ୟରାତ୍ରିରେ ନଦୀ ପଠାରୁ ଚୋରା ବାଲି ଚାଲାଣ ବେଳେ କିଛି ବ୍ୟକ୍ତି ବାଲି ବୋଝେଇ ୩ଟି ଟ୍ରିପ୍ର, ଗୋଟିଏ ଟ୍ରାକ୍ଟର, ଗୋଟିଏ ବାଇକ୍, ଗୋଟିଏ ସ୍କୁଟି ଓ ଜେସିବି ମେଶିନ୍ ଭଙ୍ଗାରୁଜା କରିବା ସହ ପୋଡି ଦେଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଅଞ୍ଚଳରେ ଆଖପାଖ ନଦୀ ପଠାରୁ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ଅଞ୍ଚଳବାସୀ ବାରମ୍ବାର ବାରଣ କରିବା ସହ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଶୁଣିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେଉଥିବା ବେଳେ ପ୍ରଶାସନ କିପରି ଏହା ଜାଣିପାରୁନାହିଁ ନା ମାଫିଆ ଓ ପ୍ରଶାସନ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଗ୍ରାମକୁ ଲାଗି ନଦୀ ରହିଥିବା ବେଳେ ବର୍ଷାଦିନେ ଓ ପାଣି ଆସିଲେ ବିପଦ ଆଶଙ୍କା ରହିଛି । ଘଟଣା ସମ୍ପର୍କରେ ପୁରୁଷୋତ୍ତମପୁର ତହସିଲଦାରଙ୍କୁ ପଚାରିବାରୁ ଉକ୍ତ ଅଞ୍ଚଳ ତାଙ୍କ ଅଧିନରେ ଆସୁନଥିବା ସେ କହିଛନ୍ତି । ଘଟଣା ସମ୍ପର୍କରେ ଖବରପାଇ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ôଚ ପ୍ରାଥମିକ ତଦନ୍ତ ସାରି ଫେରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିନା ଲିଜ୍ରେ ବାଲି ଚୋରା ଚାଲାଣ ଓ ଉକ୍ତ ଘଟଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ । ଗାଡି ପୋଡି ଘଟଣା ଖବର ଆସିଛି ହିଞ୍ଜିଳି ଆଇଆଇସିଙ୍କୁ ତଦନ୍ତ କରିବା ପାଇଁ କୁହାଯାଇଛି ମୁଁ ମଧ୍ୟ ଘଟଣା ଉପରେ ନଜର ରଖିଛି ବୋଲି ଛତ୍ରପୁର ଅତିରିକ୍ତ ଏଏସ୍ପି ଠାକୁର ପ୍ରସାଦ ପାତ୍ର କହିଛନ୍ତି । ସାଧାରଣରେ ଆଲୋଚନା ହେଉଛି ଯେ ପ୍ରଶାସନ ମାଫିଆଙ୍କ ହାତ ବାରିଶି ସାଜିଛି । ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଘଟଣା ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲି ମାଫିଆଙ୍କ ବିରୋଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅପରପକ୍ଷରେ ଭଙ୍ଗାରୁଜା ହୋଇ ପୋଡି ଥିବା ଗାଡି କାହାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।