-
‘ମିଳିତ ଓଡ଼ିଶା ନିଶା ନିବାରଣ’ ସମ୍ବର୍ଦ୍ଧିତ କଲେ ଦୁଇ ପୋଲିସ ପଦାଧିକାରୀଙ୍କୁ
ବାଲେଶ୍ବର, ତା୨୦/୮: (କୃଷ୍ଣ କୁମାର ମହାନ୍ତି) ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା), ବାଲେଶ୍ବର ଶାଖାର ଏକ ଭଚୁର୍ଆଲ୍ ସମ୍ବର୍ଦ୍ଧନା ସଭା ନେଳିଆବାଗସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ସଂପାଦିକା ମମତା ମହାପାତ୍ର ଉପସ୍ଥିତ ରହି ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଉପଦେଷ୍ଟା ସୁବ୍ରତ କର ଟାଉନ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ନିଶା ବିରୋଧରେ ଲଢେ଼ଇ କରୁଥିବାରୁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସମାଜର ହିତ ପାଇଁ ନିଶା ବିରୋଧରେ ଗତ କିଛିଦିନ ମଧ୍ୟରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇ ପାରିଥିବା ବାଲେଶ୍ବର ଟାଉନଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କୁ ଏହି ଅବସରରେ ‘ମୋନା’ ପକ୍ଷରୁ ସମ୍ବଦ୍ଧିର୍ତ କରାଯାଇଥିଲା।
ସମ୍ବର୍ଦ୍ଧନାର ଉତ୍ତରରେ ଅଧିକାରୀଦ୍ବୟ ବାଲେଶ୍ବରକୁ ନିଶାମୁକ୍ତ କରିବାରେ ନିଶା ବିରାଧରେ ସଂଗ୍ରାମ ଚଳାଇଥିବା ବିଭିନ୍ନ ସଂଗଠନ, ବିଶେଷ କରି ମହିଳାମାନଙ୍କ ସହଯୋଗ ରହିଲେ ଅଭିଯାନ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହୀ, ଡକ୍ଟର କେଶବ ଚରଣ ପଣ୍ତା, କୁମୁଦ ରଞ୍ଜନ ଗିରି, ଡକ୍ଟର କ୍ଷିତୀଶ୍ବର ଦାଶ, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ କୁମାର ପାଡ଼ୀ, କମଳାକାନ୍ତ ଦାଶ, ନିରଞ୍ଜନ ପରିଡା, ଗୀତାଞ୍ଜଳି ସିଂହ, ଅର୍ଚ୍ଚନା ନନ୍ଦୀ, ଶେଖ କରିମ୍, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ପ୍ରଧାନ ଓ ବିକ୍ରମ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସଦସ୍ୟା କଲ୍ୟାଣୀ ନନ୍ଦ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଅଭ୍ୟର୍ଥନା ସଂଗୀତ ଗାନ କରିଥିଲେ।
ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।