ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର 20 ତାରିଖ ପୂର୍ବାହ୍ନ 11ଟାରେ ସ୍ୱଚ୍ଛ ସର୍ଭେକ୍ଷଣ-2020ର ଫଳାଫଳ ଘୋଷଣା କରିବେ । ଦେଶରେ ଅନୁଷ୍ଠିତ ହେଉଥିବା ବାର୍ଷିକ ସ୍ଵଚ୍ଛତା ସର୍ଭେର ଏହା ପଞ୍ଚମ ସଂସ୍କରଣ । ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା ସହର ଏବଂ ରାଜ୍ୟଗୁଡିକୁ ମୋଟ 129ଟି ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ 20 ଅଗଷ୍ଟରେ ସ୍ୱଚ୍ଛ ମହୋତ୍ସବ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବଛା ବଛା ହିତାଧିକାରୀ, ସ୍ୱଚ୍ଛାଗ୍ରହୀ ଏବଂ ସଫେଇ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିବେ । ଏମାନେ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ଅଧୀନରେ ମନୋନୀତ ହୋଇଛନ୍ତି ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ରହି ଭିଡିଓ କନ୍ଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛ ସର୍ଭେକ୍ଷଣ-2020 ଫଳାଫଳର ଡ୍ୟାସବୋର୍ଡ ଉଦ୍ଘାଟନ କରିବେ । ସ୍ୱଚ୍ଛ ସର୍ଭେକ୍ଷଣ-2020 ବିଶ୍ୱର ସର୍ବବୃହତ୍ ପରିଚ୍ଛନ୍ନତା ସର୍ଭେ । ଏଥିରେ 4242 ସହର, 62ଟି କ୍ୟାଣ୍ଟନମେଣ୍ଟ ବୋର୍ଡ, 92ଟି ଗଙ୍ଗା ଟାଉନ ଭାଗ ନେଇଛନ୍ତି । ଏଥିରେ 1 କୋଟି 87 ଲକ୍ଷ ନାଗରିକ ଅନ୍ତର୍ଭୁକ୍ତ । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନତାଙ୍କୁ ସାମିଲ କରିବା ପାଇଁ ସ୍ୱଚ୍ଛ ସର୍ଭେକ୍ଷଣ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସ୍ୱଚ୍ଛତାରେ ଆଗରେ ରହିବା ପାଇଁ ଏଥିରେ ଦେଶର ସହରଗୁଡିକ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି । ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ 2016 ଜାନୁୟାରୀରେ ପ୍ରଥମେ ଦେଶର 73ଟି ପ୍ରମୁଖ ସହରରେ ଏହି ସ୍ୱଚ୍ଛ ସର୍ଭେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । 2017 ଜାନୁୟାରୀ-ଫେବୃୟାରୀରେ ଏହାର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ଏବଂ ଏଥିରେ 474ଟି ସହର ଭାଗ ନେଇଥିଲେ । ତୃତୀୟ ସଂସ୍କରଣ 2018ରେ 4203 ସହର ଭାଗ ନେଇଥିବାବେଳେ 2019ରେ ଅନୁଷ୍ଠିତ ଚତୁର୍ଥ ସଂସ୍କରଣରେ 4237ଟି ସହର ଏଥିରେ ସାମିଲ ହୋଇଥିଲେ । ଚଳିତବର୍ଷ ସର୍ଭେ ସଂପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥାରେ କରାଯାଇଛି ଏବଂ ରେକର୍ଡ 28 ଦିନରେ ଶେଷ ହୋଇଛି ।
ସ୍ୱଚ୍ଛ ସର୍ଭେକ୍ଷଣ-2020ରେ ସଂପୃକ୍ତ ସହରଗୁଡିକର ବାସ୍ତବ ସ୍ଥିତି ଅପେକ୍ଷା ସ୍ୱଚ୍ଛତା କାର୍ଯ୍ୟକ୍ରମର ନିରନ୍ତରତା ବିଷୟରେ ଗୁରୁତ୍ୱ ଦିଆଯାଇଥିଲା । ସହରଗୁଡିକ କିପରି ନିରନ୍ତର ସ୍ୱଚ୍ଛତା ବଜାୟ ରଖୁଛନ୍ତି ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏହାଛଡା ମଧ୍ୟ ସରକାର ଏଥର ସ୍ୱଚ୍ଛ ସର୍ଭେକ୍ଷଣ ଲିଗ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏଥିରେ ପ୍ରତି 3 ମାସରେ ଥରେ ସହର ଓ ଟାଉନଗୁଡିକରେ ସ୍ୱଚ୍ଛତା ଆକଳନର ସମୀକ୍ଷା କରାଯାଇଥିଲା । ତିନି ପର୍ଯ୍ୟାୟ ଆକଳନକୁ ବିଚାରକୁ ନେଇ ତା ଉପରେ 25 ଶତାଂଶ ଗୁରୁତ୍ୱ ଦିଆଯାଇ ଚତୁର୍ଥ ପର୍ଯ୍ୟାୟ ସ୍ୱଚ୍ଛତା ସର୍ଭେ ସଂପୂର୍ଣ୍ଣ ହୋଇଥିଲା । ତାହାର ଫଳାଫଳକୁ ବିଚାରକୁ ନେଇ ଚୂଡାନ୍ତ ଫଳାଫଳ ନିର୍ଣ୍ଣୟ କରାଯାଇଛି ।
ସ୍ୱଚ୍ଛ ସର୍ଭେକ୍ଷଣ ଏବେ ସ୍ୱଚ୍ଛତାକୁ ଏକ ପ୍ରେରଣା ଓ ଗୌରବରେ ପରିଣତ କରିଛି । ଏହାକୁ ହାସଲ କରିବାକୁ ସବୁ ସହର ବ୍ୟଗ୍ର । ପ୍ରଥମ ସର୍ଭେକ୍ଷଣରେ ମହୀଶୂର ଦେଶର ସବୁଠୁ ପରିଚ୍ଛନ୍ନ ସହରର ମାନ୍ୟତା ଲାଭ କରିଥିଲା । ଏହା ପରେ କ୍ରମାଗତଭାବେ 3ଥର ଇନ୍ଦୋର ସହର ପ୍ରଥମ ସ୍ଥାନ ହାସଲ କରିଛି । ଆସନ୍ତା 20 ତାରିଖରେ ପଞ୍ଚମ ପର୍ଯ୍ୟାୟ ସର୍ଭେକ୍ଷଣର ଫଳାଫଳ ଘୋଷଣା କରାଯିବ । କରୋନା ମହାମାରୀ ଯୋଗୁଁ ଏହି ଘୋଷଣା ବିଳମ୍ବିତ ହୋଇଛି ।