
ନୂଆଦିଲ୍ଲୀ-ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁ ଆଜି ଭର୍ଚୁଆଲ ବ୍ୟବସ୍ଥାରେ ଅଟଳ ରେଙ୍କିଙ୍ଗ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ ଆଚିଭ୍ମେଣ୍ଟ ବା ଏଆର୍ଆଇଆଇଏ-2020 ଫଳାଫଳ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଂଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ । ଉଚ୍ଚଶିକ୍ଷା ସଚିବ ଶ୍ରୀ ଅମିତ ଖରେ, ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ଏଆର୍ଆଇଆଇଏ ମୂଲ୍ୟାୟନ କମିଟିର ଚେୟାରମ୍ୟାନ ଡ. ବି.ଭି.ଆର ମୋହନ ରେଡ୍ଡି ଏବଂ ଶିକ୍ଷା ମନ୍ତ୍ରଣାଳୟ ଇନୋଭେସନ ସେଲର ମୁଖ୍ୟ ଇନୋଭେସନ ଅଧିକାରୀ ଡ. ଅଭୟ ଜେରେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କୃଷି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏହି ଅବସରରେ ଗବେଷକ ଓ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଜଣାଇଥିଲେ । ନବସୃଜନ ମାଧ୍ୟମରେ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ଚାଷୀମାନଙ୍କୁ ଉପୁଯକ୍ତ ସମୟରେ ସୂଚନା ପ୍ରଦାନ କରିବା ସହିତ ଶୀତଳ ଭଣ୍ଡାର ବ୍ୟବସ୍ଥା ସୃଷ୍ଟି ଓ ସେମାନଙ୍କୁ ନୂଆ ଟେକ୍ନୋଲଜି ଯୋଗାଇଦେବା ପାଇଁ ଗବେଷକ ଓ ଉଦ୍ଭାବକମାନେ ଗୁରୁତ୍ୱ ଦେବା ଉଚିତ । ସେ କହିଥିଲେ ଯେ ଚାଷୀମାନଙ୍କୁ ମଧ୍ୟସ୍ଥ ବା ଦଲାଲମାନଙ୍କ ଶୋଷଣରୁ ମୁକ୍ତ କରିବାର ଆବଶ୍ୟକତା ରହିଛି । ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଲାଭଜନକ ମୂଲ୍ୟ ପାଆନ୍ତି ତାହା ନିଶ୍ଚିତ ହେବା ଦରକାର । ଚାଷୀମାନଙ୍କ ପାଇଁ ନୂଆ ଟେକ୍ନୋଲଜି ଓ ନବସୃଜନ ବାହାର କରିବାକୁ ଏଆଇସିଟିଇ, ଆଇସିଏଆର୍, ଏନ୍ଆଇଆରଡି ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡିକ ମିଳିତଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଭାରତରେ ନବସୃଜନ ଏବଂ ଷ୍ଟାର୍ଟ ଅପ୍ ସଂସ୍କୃତି ସୃଷ୍ଟି କରି ଏକ ଉତ୍ତମ ବାତାବରଣ ତିଆରି କରିବା ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ନବସୃଜନ ଶିକ୍ଷାର ହୃଦ୍ସ୍ପନ୍ଦନ ଓ ଉତ୍କର୍ଷର ଅନ୍ୱେଷଣ ନୂଆ ନୀତି ହେବା ଆବଶ୍ୟକ ।
ନବସୃଜନର ସ୍ଥିତି ବଜାୟ ରଖିବା ସହିତ ଏହାଦ୍ୱାରା ନୂଆ ସର୍ଜନାକୁ ବିକଶିତ କରିବା କ୍ଷେତ୍ରରେ ଶିକ୍ଷାନୁଷ୍ଠାଗୁଡିକ ନିଜକୁ ନିୟୋଜିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆମର ଶିକ୍ଷା ଓ ଶୈକ୍ଷିକ ବ୍ୟବସ୍ଥାରେ ନିରନ୍ତର ଅନ୍ତର୍ନିହିତ ଅନୁସନ୍ଧାନ ଚେତନାକୁ ବିକଶିତ କରିବା ସହିତ ସମସ୍ୟା ସମାଧାନ ପାଇଁ ନୂଆ ଉପାୟ ବାହାର କରିବା ଉପରେ ଗୁରୁତ୍ୱ ଦେବା ଉଚିତ । ନୂଆ ଜାତୀୟ ଶିକ୍ଷାନୀତି ସଂପର୍କରେ ସନ୍ତୋଷ ପ୍ରକାଶ କରି ଉପରାଷ୍ଟ୍ରପତି କହିଥିଲେ ଯେ ଏଥିରେ ଯେଉଁସବୁ ସୁପାରିସ କରାଯାଇଛି ତାହା ନବସୃଜନକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଶିକ୍ଷାଦାନ, ଶିକ୍ଷଣ ଓ ଗବେଷଣାର ମାନ ବୃଦ୍ଧି ପାଇବ ।
ଉପରାଷ୍ଟ୍ରପତି କହିଥିଲେ ଯେ ପିଲାଙ୍କ ବୋଧଜ୍ଞାନ, ଗଭୀର ବିଚାର, ଅନୁଶୀଳନ ଏବଂ ଜ୍ଞାନରାଜ୍ୟର ନୂଆ ନୂଆ ଦିଗ ସଂପର୍କରେ ଜାଣିବା ତଥା ନବ ଉଦ୍ଭାବନ କରିବାରେ ଏହି ନୂତନ ଶିକ୍ଷାନୀତି ଗୁରୁତ୍ୱ ଦେଇଛି । ସାଇଲୋ ସଂସ୍କୃତିର ଅବସାନ ଘଟାଇ ବିଭିନ୍ନ ପ୍ରକାର ଶିକ୍ଷା ସହିତ ଶିକ୍ଷଣକୁ ଯୋଡି ବହୁବିଷୟକ କରିବାକୁ ଏଥିରେ ବ୍ୟବସ୍ଥା ରହିଛି । ତଥ୍ୟ ସହିତ ପ୍ରମାଣକୁ ଯୋଡିପାରିଲେ ନବସୃଜନ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି । ଆମ ଛାତ୍ର ସମାଜ ମଧ୍ୟରେ ନବସୃଜନର ଓ ଉଦ୍ୟମିତାର ସଂସ୍କୃତି ଉଦ୍ରେକ କରିବା ପାଇଁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ଆମ ପିଲାମାନେ ତତ୍କାଳ ଚିନ୍ତକ ସାଜି ସୃଷ୍ଟିଧର୍ମୀ, ସମସ୍ୟା ସମାଧାନକାରୀ, ଉଦ୍ୟମୀ ଏବଂ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ । ସେମାନେ ଆଉ ଚାକିରି ପଛରେ ଗୋଡାଇବେ ନାହିଁ ।
ଶ୍ରୀ ନାଇଡୁ ଦୁଇ ବର୍ଷିଆ ଏଆର୍ଆଇଆଇଏ ରେଙ୍କିଙ୍ଗର ସମାପନ ଘେନି ସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ସେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏବଂ ଶିକ୍ଷା ମନ୍ତ୍ରଣାଳୟର ଇନୋଭେଟିଭ୍ ସେଲର ଉଦ୍ୟକୁ ପ୍ରଶଂସା କରିଥିଲେ । ଏହି ଉଦ୍ୟମ ଦ୍ୱାରା ଭାରତ ବିଶ୍ୱ ଇନୋଭେସନ ରେଙ୍କିଙ୍ଗରେ ଉପରେ ରହିବ ବୋଲି ସେ ଆଶା ପ୍ରକଟ କରିଥିଲେ ।
ଏହି ଅବସରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଥିଲେ ଯେ ଏହି ରେଙ୍କିଙ୍ଗ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇଛି । ତାଙ୍କ ନେତୃତ୍ୱରେ ନବସୃଜନ କ୍ଷେତ୍ରରେ ଭାରତ ବିଶେଷ ଅଗ୍ରଗତି କରିଥିଲା । ଆହୁରି ମଧ୍ୟ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବାକୁ ଏହି ରେଙ୍କିଙ୍ଗ ବିଶେଷ ସହାୟକ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଆଶା, ଆକାଂକ୍ଷା, ଲକ୍ଷ୍ୟ ଓ ଦେଶର ଭବିଷ୍ୟତ ନେଇ ତାଙ୍କର ସ୍ୱପ୍ନ ନିହିତ । ସେ କହିଥିଲେ ଯେ ନବସୃଜନ ଓ ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଖୁବ୍ ଶୀଘ୍ର ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ (ଏନ୍ଆରଏଫ୍) ଗଠନ କରାଯିବ । ଦେଶର ସବୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଆସନ୍ତା ବର୍ଷ ହେବାକୁ ଥିବା ଏଆର୍ଆଇଆଇଏ ସଂସ୍କରଣରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ ।